fbpx

‘ଆମର ଉଦ୍ଦେଶ୍ୟ ପୂରଣ ହୋଇସାରିଛି, କିନ୍ତୁ ଆମକୁ ଉତ୍ତେଜିତ କଲେ ପରିଣତି ଭୟଙ୍କର ହେବ’: ଇରାନ ଇସ୍ରାଏଲକୁ ଦେଲା ଏପରି ଚେତାବନୀ(Watch)

ନୂଆଦିଲ୍ଲୀ:ଗତ କାଲି ରାତି ଅଧରେ ଇରାନ୍ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣକୁ ନେଇ ଇରାନ କହିଛି ଇସ୍ରାଏଲ୍ ପକ୍ଷରୁ ଇରାନର ଡାମାସ୍କସ୍ ଦୂତାବାସ ଉପରେ ଯେଉଁ ଆକ୍ରମଣ କରାଯାଇଥିଲା ତାହାର ପ୍ରତିଶୋଧ ସେ ନେଇସାରିଛି ଓ ତା’ର ଲକ୍ଷ୍ୟ ପୂରଣ କରିସାରିଛି ।

ଇରାନର ଏହି ‘ଅପରେସନ ଅନେଷ୍ଟ ପ୍ରୋମିଜ୍‌..’ ସଫଳତାର ସହ ସଂପନ୍ନ ହୋଇଛି ବୋଲି କହିଛନ୍ତି ଇରାନ ସେନାର ମୁଖ୍ୟ ମୋହମ୍ମଦ ବାଘେରୀ । ଏହି ଅପରେସନ ଗତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଚାଲିଥିଲା । ସେ ଏହାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି ଇସ୍ରାଏଲ୍ ଇରାନର ରେଡ୍ ଲାଇନ୍ ଅତିକ୍ରମ କରିବାରୁ ଇରାନ୍ ପକ୍ଷରୁ ଏହି ଅପରେସନ କରାଯାଇଛି । ଆମର ଏହି ଅପରେସନ ଶେଷ ହୋଇଛି ଓ ଏହାକୁ ଆଗକୁ ବଢାଇବାକୁ ଆମର କୌଣସି ଉଦ୍ଦେଶ୍ୟ ନାହିଁ । କିନ୍ତୁ ଆମକୁ ଯଦି ଇସ୍ରାଏଲ୍ ପୁଣି ଉସ୍‌କାଇବ ଅର୍ଥାତ୍ ପୁଣି ଏହାର ପ୍ରତିବାଦରେ ଆକ୍ରମଣ କରିବ ତେବେ ଏହାର ପରବର୍ତ୍ତୀ ଅପରେସନ ଭୟାନକ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ ଚଳିତ ମାସ ପ୍ରାରମ୍ଭରେ ଇସ୍ରାଏଲ୍ ଇରାନର ଏକ ଦୂତାବାସ କୋଠା ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୨ ଜଣ ଇରାନିଆନ୍ ସେନା ଅଧିକାରୀ ମୃତ୍ୟୁବରଣ କରିଥିଲେ । ତେବେ ଇସ୍ରାଏଲ୍ ଅଭିଯୋଗ କରିଛି କି ଇରାନ ତାଙ୍କ ଦେଶ ଉପରେ ୧୭୦ ଡ୍ରୋନ୍‌, ୩୦ କ୍ରୁଜ୍ ମିସାଇଲ୍ ଓ ୧୨୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ତେବେ ଇସ୍ରାଏଲ୍ କହିଛି ଏହାର ବାୟୁସେନା ସଫଳତାର ସହ ଇରାନର ଆକ୍ରମଣକୁ ପ୍ରତିହତ କରିପାରିଛନ୍ତି ଓ ୯୯%ରୁ ଅଧିକ ଡ୍ରୋନକୁ ଅକାମୀ କରିଦେଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା ଯାହା ଡାମାସ୍କସ୍ ଆକ୍ରମଣ ପରେ ବିସ୍ଫୋରଣ ରୂପ ନେଇଥିଲା । ୧୯୭୯ ଇସଲାମିକ୍ ବିଦ୍ରୋହ ସମୟରୁ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି କିନ୍ତୁ ରବିବାର ଇରାନ ପକ୍ଷରୁ ପ୍ରତ୍ୟକ୍ଷ ଭାବରେ ଇସ୍ରାଏଲ୍ ଉପରେ ମିଲିଟାରୀ ଆଟାକ୍ କରାଯାଇଥିଲା ।

Get real time updates directly on you device, subscribe now.