ଭୂକମ୍ପ ରଚିଲା ମୃତ୍ୟୁର ବିଭୀଷିକା, ଏବେସୁଦ୍ଧା ୬୨୨ ଜଣଙ୍କର ମୃତ୍ୟୁ, ୧୫୦୦ରୁ ଅଧିକ ଗୁରୁତର ଆହତ, ବଢୁଛି ମୃତ୍ୟୁ ସଂଖ୍ୟା

ଆଫଗାନିସ୍ତାନ ଶକ୍ତ ଭୂକମ୍ପ ଝଟକାରେ ବଢୁଛି ମୃତକଙ୍କ ସଂଖ୍ୟା।

ଆଫଗାନିସ୍ତାନ: ରବିବାର ଦିନ ବିଳମ୍ୱିତ ରାତିରେ ତାଲିବାନ ଶାସିତ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଅତି କମରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ଜଲାଲାବାଦରୁ ପ୍ରାୟ ୨୭ କିଲୋମିଟର ଉତ୍ତର-ପୂର୍ବରେ ନାଙ୍ଗରହାର ପ୍ରଦେଶରେ ଥିଲା।

ଏହାର ଗଭୀରତା ମାତ୍ର ୮ କିଲୋମିଟର ଥିଲା। ଭୂମିକମ୍ପର ତୀବ୍ର ଭୂମିକମ୍ପରେ କୁନାର ପ୍ରଦେଶରେ ବ୍ୟାପକ ଧ୍ୱଂସ ଘଟିଛି, ଯେଉଁଠାରେ ଅନେକ ଗାଁରେ ଘର ଭାଙ୍ଗି ପଡ଼ିଛି ଏବଂ ରାସ୍ତାରେ ଭଗ୍ନାବଶେଷ ଜମା ହୋଇଛି।

ଏପରିକି ଗୋଟିଏ ରାତିରେ ଏକାଥରେ ୫ ଥର ଭୂମିକମ୍ପର ଶକ୍ତ ଝଟକା ଲାଗିଛି। ବିଶାଲ ବିଶାଳ କୋଠା ଭାଙ୍ଗି ମାଟିରେ ମିଶିଯାଇଛି। ଆଉ ସେହି ଭଗ୍ନାବଶେଷ ତଳେ ଚାପି ହୋଇ ଲୋକଙ୍କ ଜୀବନ ଚାଲିଯାଇଛି। ଏବେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।