ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା ବିଶିଷ୍ଟ ପରିବେଶବିତ୍ ତୁଳସୀ ଗୌଡ଼ା ଆଉ ନାହାନ୍ତି । ନିଜ ଜୀବନ କାଳରେ ୧ ଲକ୍ଷରୁ ଅଧିକ ବୃକ୍ଷ ଲଗାଇବାରେ ନିଜକୁ ସମର୍ପିତ କରିଦେଇଥିବା ଏପରି ଜଣେ ମହିୟସୀ ମହିଳା ୮୬ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ‘ବୃକ୍ଷ ମାତା’ ଭାବେ ସୁପରିଚିତ ଥିବା ଶ୍ରୀମତୀ ଗୌଡ଼ାଙ୍କ ବିୟୋଗରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ତୁଳସୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରିବେଶ ସଂରକ୍ଷଣ କ୍ଷେତ୍ରରେ ତୁଳସୀଙ୍କ ଅବଦାନ ସର୍ବଦା ଏ ଜନମାନସକୁ ଆଲୋକ ପ୍ରଦାନ କରି ଚାଲିଥିବ ବୋଲି ମୋଦୀ କହିଛନ୍ତି ।
ଗତ ୨୦୨୦ ମସିହାରେ ତୁଳସୀଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ବୃକ୍ଷଲତା ଓ ଔଷଧୀୟ ଜଡ଼ିବୁଟି ବିଷୟରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେଥିପାଇଁ ତାଙ୍କୁ ‘ଜଙ୍ଗଲର ବିଶ୍ୱକୋଶ’ କୁହାଯାଉଥିଲା । ଦଶନ୍ଧି ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ତୁଳସୀ ବୃକ୍ଷଲତାଗୁଡ଼ିକର ଯତ୍ନ ନେଉଥିଲେ । ଏହି କାର୍ଯ୍ୟ ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ । ବନ ବିଭାଗ ଦ୍ୱାରା ଚାଲିଥିବା ବନୀକରଣ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ । ୧୪ ବର୍ଷ ପର୍ଯ୍ୟନ୍ତ ସେ ଏହି ସେବା ଜାରି ରଖିଥିଲେ । ପରିବେଶ କ୍ଷେତ୍ର ପ୍ରତି ବିଶେଷ ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେଥିରୁ ମିଳୁଥିବା ପେନସନ ରାଶି ହିଁ ତାଙ୍କର ଆୟର ଏକମାତ୍ର ସ୍ରୋତ ଥିଲା ।
୧୯୩୭ ମସିହାରେ କର୍ଣ୍ଣାଟକର ହୋନ୍ନାଲି ଠାରେ ସେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଦୁଇ ବର୍ଷ ବୟସରେ ତୁଳସୀ ନିଜ ପିତାଙ୍କୁ ହରାଇଥିଲେ । ଏହାପରେ ତାଙ୍କର ଜୀବନ ଘୋର ଗରିବୀରେ ବିତିଥିଲା । କୌଣସି ରାସ୍ତା ନ ପାଇ ସେ ମା’ଙ୍କ ସହିତ ମଜଦୁର କାମ କରିଥିଲେ । ବହୁତ କମ୍ ବୟସରେ ସେ ବିବାହ କରିଥିଲେ । ମାତ୍ର ବିବାହର କିଛି ବର୍ଷ ପରେ ସେ ସ୍ୱାମୀଙ୍କୁ ହରାଇଥିଲେ । ଜୀବନରେ ବାରମ୍ବାର ଅସଫଳତାକୁ ସାମ୍ନା କରିବା ପରେ ସେ ଅଧିକାଂଶ ସମୟ ଜଙ୍ଗଲରେ ବିତାଇବା ଆରମ୍ଭ କରିଦେଇଥିଲେ । ବୃକ୍ଷ ପ୍ରତି ଭଲ ପାଇବା ତାଙ୍କୁ ବହୁତ ଶାନ୍ତି ଦେଇଥିଲା । ତେଣୁ ତାହା ତାଙ୍କର ଜୀବନର ଉଦ୍ଦେଶ୍ୟ ବୋଲି ସେ ଅନୁଭବ କରିପାରିଥିଲେ । ଏପରି ଭାବେ ସେ ବୃକ୍ଷଲତା ଓ ଜଙ୍ଗଲର ସୁରକ୍ଷା ପାଇଁ ନିଜ ଜୀବନକୁ ସମର୍ପିତ ଦେଇଥିଲେ ।