fbpx

ଭଣ୍ଡୁର ହେଲା ପାକିସ୍ତାନର ଷଡ଼ଯନ୍ତ୍ର: ଡ୍ରୋନ୍ ସାହାଯ୍ୟରେ ଅମୃତସରରେ ପକାଇଥିଲା ହ୍ୟାଣ୍ଡ ଗ୍ରେନେଡ଼ ଓ ବୋମା

ଚଣ୍ଡୀଗଡ଼ : ସ୍ୱାଧୀନତା ଦିବସ ପୂର୍ବରୁ ପଡୋଶୀ ପାକିସ୍ତାନର ଏକ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି। ପଞ୍ଜାବ ସୀମା ନିକଟସ୍ଥ ଏକ ଗାଁରେ ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଅସ୍ତ୍ର ପକାଇଛି। ପଞ୍ଜାବ ପୋଲିସ ଏହି ଅସ୍ତ୍ର ସବୁକୁ ଜବତ କରିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଭିନ୍ନ ଭିନ୍ନ ବ୍ୟାଗରେ ଆଇଇଡି, ହ୍ୟାଣ୍ଡ ଗ୍ରେନେଡ଼ ଓ ବୋମା ପଠାଯାଇଥିଲା। ଏହିସବୁ ଅସ୍ତ୍ର ଡ୍ରୋନରୁ ପକାଯାଇଥିଲା।

ଘଟଣା ସମ୍ପର୍କରେ ପଞ୍ଜାବ ଡିଜିପି ଦିନକର ଗୁପ୍ତା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଅମୃତସରରେ ରବିବାର ସନ୍ଧ୍ୟାରେ ଗ୍ରାମୀଣ ଅଞ୍ଚଳରେ ଗ୍ରେନେଡ଼ ଓ ଟିଫିନ ବକ୍ସରେ ଆଇଇଡି ବୋମା ଜବତ ହୋଇଛି। ପାକିସ୍ତାନ ସୀମା ନିକଟସ୍ଥ ଡଲିକେ ଗାଁରୁ ଆଇଇଡି ବୋମା ଓ ଗ୍ରେନେଡ଼ ଜବତ ହୋଇଛି। ସେ କହିଛନ୍ତି ଯେ ପିଲାଙ୍କ ଟିଫିନ ବକ୍ସରେ ଆଇଇଡି ବୋମା ଫିଟ କରାଯାଇଥିଲା। ଏହାକୁ ଡ୍ରୋନ ମାଧ୍ୟମରେ ବ୍ୟାଗରେ ପଠାଯାଇଥିଲା। ବ୍ୟାଗରେ ଅନେକ ଅସ୍ତ୍ର ଥିଲା। ସୂଚନା ଅନୁଯାୟୀ ଏଥିରେ ୫ଟି ହ୍ୟାଣ୍ଡ ଗ୍ରେନେଡ଼, ୧୦୦ଟି ୯ଏମଏମ ଗୁଳି ଓ ଟିଫିନ ବୋମା ଜବତ ହୋଇଛି। ଆଇଇଡି ବୋମାରେ ୨ କିଲୋ ଆରଡିଏକ୍ସ ଲଗାଯାଇଥିଲା।

ଡିଜିପିଙ୍କ ଅନୁଯାୟୀ ଟିଫିନ ବୋମା ସାହାଯ୍ୟରେ କୌଣସି ଜନଗହଳିପୂର୍ଣ୍ଣ ଜାଗାକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି ହୋଇଥିଲା। ସ୍ୱିଚ ଜରିଆରେ ଟାଇମ ବୋମା ତିଆରି କରାଯାଇଥିଲା। ବୋମା ଏହିଭଳି ତିଆରି କରାଯାଇଥିଲା ଯେ ବୋମା ମିସହ୍ୟାଣ୍ଡଲ ହେଲେ ବିସ୍ଫୋରଣ ହୋଇପାରିଥାନ୍ତା। ଫୋନ ଜରିଆରେ ମଧ୍ୟ ବୋମା ଅପରେଟ କରାଯାଇପାରୁଥିଲା। ୩ ଡେଟୋନେଟର ମଧ୍ୟ ଜବତ ହୋଇଛି। ହାଇ ଭେଲ୍ୟୁ ଟାର୍ଗେଟ ପାଇଁ ବୋମା ବ୍ୟବହାର କରାଯାଇଥାନ୍ତା।

 

Get real time updates directly on you device, subscribe now.