(Video) ‘ପାକିସ୍ତାନ ଜିନ୍ଦା ଭାଗ୍’… ବାବର ସେନା ଉପରେ ସେହୱାଗଙ୍କ କଟାକ୍ଷ: ବିଶ୍ୱକପ ପ୍ରଦର୍ଶନକୁ ନେଇ ଥଟ୍ଟା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଉପରେ ନ୍ୟୁଜିଲାଣ୍ଡ ଏକ ବିଶାଳ ବିଜୟ ହାସଲ କରି ସେମି ପାଇନାଲ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି । କିନ୍ତୁ ଶ୍ରୀଲଙ୍କାର ଏହି ପରାଜୟ ପାକିସ୍ତାନ ଦଳ ପାଇଁ କାଳ ପାଲଟିଛି । ବର୍ତ୍ତମାନ ପାକିସ୍ତାନର ସେମି ଆଶା ଆହୁରି କଷ୍ଟକର ହୋଇ ପଡ଼ିଛି । ତେବେ ଏହି ସମୟରେ ଭାରତର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ କଟାକ୍ଷ କରିବା ଆରମ୍ଭ କରି ଦେଇଛନ୍ତି । ‘ପାକିସ୍ତାନ ଜିନ୍ଦା ଭାଗ୍…’ ବୋଲି କହି ଦଳର ମଜାକ ଉଡ଼ାଇଛନ୍ତି ବିରେନ୍ଦ୍ର ସେହୱାଗ୍ । ଜୀବନ ବଞ୍ଚାଇ ଦେଶକୁ ଫେରିଯିବା ପାଇଁ ସେହୱାଗ ଇସାରା କରିଛନ୍ତି ।

ଗତ ରାତିରୁ ପାକିସ୍ତାର ଅନେକ ମିମ୍ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଛି । କେତେକ ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି ଯେ, ପାକିସ୍ତାନ କରାଚି ବିମାନବନ୍ଦର ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ କେହି ଜଣେ ପାକିସ୍ତାନୀ ଖେଳାଳିଙ୍କୁ ଘରକୁ ଫେରୁଥିବା ଦର୍ଶାଇଛନ୍ତି । ତେବେ ସବୁଠାରୁ ମଜାକିଆ ଅନ୍ଦାଜରେ ଏକ ବିଶେଷ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ‘Bye Bye Pakistan’ ଫଟୋ ସେୟାର କରିଛନ୍ତି । ଏବଂ ଏଥିସହ ସେ ‘ପାକିସ୍ତାନ ଜିନ୍ଦା ଭାଗ୍…’ ବୋଲି ଲେଖି ପୋଷ୍ଟ କରିଛନ୍ତି । ସେହୱାଗଙ୍କ ଏହି କମେଣ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାବ୍ୟତୀତ ସେହୱାଗ ଶ୍ରୀଲଙ୍କା ପାଇଁ ମଧ୍ୟ ଏକ Sorry… ମେସେଜ ପଠାଇଛନ୍ତି । ବୀରୁ କହିଛନ୍ତି ଯେ, ପାକିସ୍ତାନର ଗୋଟିଏ ଖାସ୍ କଥା ଅଛି, ସେ ଯାହାକୁ ସପୋର୍ଟ କରୁଛି ସେହି ଦଳ ପାକିସ୍ତାନ ଭଳି ଖେଳୁଛନ୍ତି । ଏହାସହିତ ଏକ ସ୍ମାଇଲ ଇମୋଜି ଦେଇ ପୋଷ୍ଟ କରି ଦେଇଛନ୍ତି ମୁଲତାନ୍ ର ସୁଲତାନ୍ ବିରେନ୍ଦ୍ର ସେହୱାଗ । ତାଙ୍କର ଏହି ସୋସିଆଲ ମିଡିଆ ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ବିଶ୍ୱକପ ୨୦୨୩ରେ ପାକିସ୍ତାନର ଯାତ୍ରା ପ୍ରାୟ ଶେଷ ହେବା ପରିସ୍ଥିତିରେ ପହଞ୍ଚିଛି । ସେମିଫାଇନାଲରେ ପ୍ରବେଶ କରିବା ବର୍ତ୍ତମାନ ଦଳ ପାଇଁ ଏକ ପ୍ରକାର ଅସମ୍ଭବ ମନେ ହେଉଛି । କାରଣ ଶ୍ରୀଲଙ୍କାକୁ ମାତ୍ ଦେଇ ନ୍ୟୁଜିଲାଣ୍ଡ ନିଜର ନେଟ୍ ରନ୍ ରେଟ୍ ସୁଧାରି ନେଇଛି । ଏବେ ସେମି ଟିକେଟ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବାବର ସେନାକୁ ଚମତ୍କାର ପ୍ରଦର୍ଶନ କରି ଏକ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । ଯଦି ପାକିସ୍ତାନ ଦଳ ପ୍ରଥମେ ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ କରେ ତେବେ ଏହାକୁ ୨୮୭ରନ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏଥି ସହିତ ଯଦି ପାକିସ୍ତାନ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାର ସୁଯୋଗ ପାଏ, ତେବେ ଇଂଲଣ୍ଡ ୧୬ଟି ବଲରେ କୌଣସି ଲକ୍ଷ୍ୟକୁ ହାସଲ କରିବାକୁ ପଡିବ । ହେଲେ ଏହି ଦୁଇଟି ପରିସ୍ଥିତି ଅସମ୍ଭବ କହିଲେ କିଛି ଭୁଲ ହେବନାହିଁ । ଏଭଳି ପରିସ୍ଥିତିରେ ପାକିସ୍ତାନ ସେମିଫାଇନାଲରୁ ବାଦ ପଡିବ ବୋଲି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି ।