fbpx

କ୍ରିକେଟ ନିଶା ଏମିତି! ବାବର ଆଜମ ଆଉଟ୍ ହେବା ପରେ କ୍ରୋଧରେ ଟିଭି ଭାଙ୍ଗିଦେଲେ ପ୍ରଶଂସକ

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ସମାପ୍ତ ହୋଇଥିବା ବିଶ୍ୱକପ ମ୍ୟାଚରେ ଭାରତଠାରୁ ପାକିସ୍ତାନ ୭ ୱିକେଟରେ ପରାସ୍ତ ହୋଇଥିଲା । ଏହି ମ୍ୟାଚକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା । ଭାରତ-ପାକିସ୍ତାନର ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ଅଧିକାଂଶ ସମୟରେ ସାରା ବିଶ୍ୱବାସୀ ଚାହିଁ ରହିଥାନ୍ତି । ମ୍ୟାଚ ପରେ ବିଜୟୀ ଦଳର ପ୍ରଶଂସକମାନେ ବାଟ ଫୁଟାଇ ମଜା କରୁଥିବା ବେଳେ ପରାଜିତ ଦଳର ପ୍ରଶଂସକମାନେ ରାଗରେ ଭଙ୍ଗାରୁଜା କରିଥାନ୍ତି ।

ତେବେ ଏହା ମଧ୍ୟରେ ଭାରତ-ପାକ ମ୍ୟାଚ ସମୟର ଏକ ଦୃଶ୍ୟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ମ୍ୟାଚ ସମୟରେ ପାକିସ୍ତାନୀ ଅଧିନାୟକ ତଥା ପ୍ରମୁଖ ବ୍ୟାଟ୍ସମ୍ୟାନ ବାବର ଆଜମ ଆଉଟ୍ ହେବା ପରେ ଜଣେ ପ୍ରଶଂସକ କ୍ରୋଧବଶତଃ ଏକ ଟିଭିକୁ ଭାଙ୍ଗିଦେଇଥିଲେ । ପାକିସ୍ତାନ ୧୫୦ ରନ ପାର କରିସାରିଥିବା ବେଳେ ଦଳ ଦୁଇଟି ୱିକେଟ ହରାଇଥିଲା । ମାତ୍ର ସେହି ସମୟରେ ଅଚାନକ ଅଧିନାୟକ ବାବର ଆଉଟ୍ ହୋଇଯିବା ପରେ ତାହାକୁ ସହଜରେ ଗ୍ରହଣ କରିପାରି ନଥିଲେ ଉକ୍ତ ପ୍ରଶଂସକ ।

ବାବର ଭାରତୀୟ ପେସର ମହମ୍ମଦ ସିରାଜଙ୍କ ବଲରେ ବୋଲ୍ଡ ହେବା ପରେ ପ୍ରଶଂସକଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା । ବାବର ଆଉଟ ହେବା ପରେ ଯୁବକ ଜଣଙ୍କ ନିଜ ହାତରେ ଧରିଥିବା ଏକ ଜିନିଷକୁ ଟିଭି ଆଡ଼କୁ ଜୋରରେ ଫୋପାଡ଼ି ଦେବାରୁ ଟିଭିଟି ତଳକୁ ଖସିପଡ଼ିଥିଲା । ଏହାପରେ ତାଙ୍କର ପିତାମାତା ଯୁବକଙ୍କୁ ‘ତୁ ଏ କଣ କଲୁ’ ବୋଲି ପ୍ରଶ୍ନ କରିଥିଲେ । ଉକ୍ତ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯୨ର ଟାର୍ଗେଟ ଦେଇଥିବା ବେଳେ ଭାରତ ମାତ୍ର ୩ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।

Get real time updates directly on you device, subscribe now.