fbpx

ସାଉଦି ଆରବ ଗସ୍ତରେ ପହଞ୍ଚିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ ଡାକିଲେ ‘ଚୋର ଚୋର’

Advertisement

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସଂପ୍ରତି ସାଉଦି ଆରବ ଗସ୍ତରେ ଅଛନ୍ତି। ତେବେ ଏହି ସମୟରେ ଏମିତି ଏକ ଘଟଣା ଘଟିଛି, ଯାହାର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେତେବେଳେ ଶେହବାଜ ମଦିନାରେ ମସଜିଦ ଏ ନବାବିରେ ପ୍ରବେଶ କରୁଥିଲେ, ସେହି ସମୟରେ ଲୋକେ ଚୋର ଚୋର ଚିତ୍କାର କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏମିତି ନାରାବାଜି କରିଥିବା ଲୋକଙ୍କୁ ଗିରଫ କରାଯାଇଛି।

ଏଏନଆଇ ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ପ୍ରତିନିଧିମଣ୍ଡଳ ସହିତ ତିନି ଦିନିଆ ସାଉଦି ଆରବ ଗସ୍ତରେ ଅଛନ୍ତି। ଅନ୍ୟପଟେ ପାକିସ୍ତାନର ଖବର କାଗଜ ଅନୁଯାୟୀ, ପାକ୍ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିରୋଧରେ ଏହି ଧରଣର ବିରୋଧ ପ୍ରଦର୍ଶନ ପାଇଁ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି।

 

ଔରଙ୍ଗଜେବ କହିଛନ୍ତି, ମୁଁ ସେହି ବ୍ୟକ୍ତିଙ୍କ ନାମ ନେବି ନାହିଁ, କାରଣ ଏହି ପବିତ୍ର ମାଟିର ବ୍ୟବହାର ରାଜନୀତି ପାଇଁ କରିବାକୁ ଚାହୁଁନାହିଁ। ମାତ୍ର ଉକ୍ତ ବ୍ୟକ୍ତି ପାକିସ୍ତାନୀ ସମାଜକୁ ନଷ୍ଟ କରି ଦେଲା। ସୂଚନା ମୁତାବକ, ଶେହବାଜ ସରିଫ ସାଉଦି ଆରବଠୁ ୩.୨ ଅରବ ଡଲାରର ଅତିରିକ୍ତ ପ୍ୟାକେଜ୍ ଦାବି କରିବେ। ସରିଫ ଏଥିପ୍ରତି ଗୁରୁତ୍ଵ ଦେଉଛନ୍ତି ଯେ, କେମିତି ପାକିସ୍ତାନର ବିଦ୍ରେଶୀ ମୁଦ୍ରା ଭଣ୍ଡାରର ହ୍ରାସକୁ ରୋକା ଯାଇ ପାରିବ। ସାଉଦି ଆରବ ଇମ୍ରାନ ଖାନଙ୍କ କାର‌୍ୟ୍ୟକାଳ ସମୟରେ ଋଣରେ ବୁଡି ରହିଥିବା ପାକିସ୍ତାନକୁ ୩ ବିଲିୟନ ଆମେରିକୀୟ ଡଲାର ସହାୟତା ପ୍ରଦାନ କରିଥିଲା।

ସୂଚନାଯୋଗ୍ୟ, ଶେହବାଜ ସରିଫ ଏପ୍ରିଲ ୧୧ରେ ପାକିସ୍ତାନର ୨୩ତମ ପ୍ରଧାମମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପାକିସ୍ତାନରେ ବିରୋଧୀ ଦଳ ଏକଜୁଟ ହୋଇ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ଜରିଆରେ କ୍ଷମତାଚ୍ୟୁତ୍ କରିଥିଲେ।

Get real time updates directly on you device, subscribe now.