ପଞ୍ଚାୟତ ସମିତି ସଦସ୍ୟ, ଉପାଧ୍ୟକ୍ଷଙ୍କ ଭତ୍ତା ଓ ପାରିଶ୍ରମିକ ପୁଣି ବଢ଼ିଲା: ପଞ୍ଚାୟତିରାଜ ବିଭାଗ ଜାରି କଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ କାର୍ଯ୍ୟରତ ବହୁ କର୍ମଚାରୀଙ୍କର ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଗତ ୧୨ ତାରିଖରେ ପଞ୍ଚାୟତ ସମିତି ସଦସ୍ୟ ଓ ଉପାଧ୍ୟକ୍ଷଙ୍କ ଭତ୍ତା ଓ ପାରିଶ୍ରମିକ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେମାନଙ୍କର ଦରମା ୨,୩୫୦ରୁ ବୃଦ୍ଧି କରାଯାଇ ୭,୫୦୦ ଟଙ୍କା କରାଯାଇଥିଲା ।
ତେବେ ଗତ ୧୫ ତାରିଖରେ ସମିତି ସଭ୍ୟ ସଂଘ ନବୀନ ନିବାସ ଘେରାଉ କରିବା ସହିତ ଦରମା ବୃଦ୍ଧି ପାଇଁ ଦାବି କରିଥିଲେ । ତେଣୁ ରାଜ୍ୟ ସରକାର ସେମାନଙ୍କର ଦରମା ଆଉ ୨ ହଜାର ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଫଳରେ ପଞ୍ଚାୟତ ସମିତି ସଦସ୍ୟ ଓ ଉପାଧ୍ୟକ୍ଷ ଭତ୍ତା ଓ ପାରିଶ୍ରମିକ ଭାବେ ମାସିକ ୯,୫୦୦ ଟଙ୍କା ପାଇବେ । ଆସନ୍ତା ଏପ୍ରିଲ ପହିଲାରୁ ଏହା ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।