fbpx

ପୂର୍ବ ଜନ୍ମରେ ରହିଛି ଏ ଜନ୍ମର ସମସ୍ୟାର ଜଡ, ପାଷ୍ଟ ଲାଇଫ୍ ରିଗ୍ରେସନ ଥେରାପି ସାହାଯ୍ୟରେ କିପରି କରିହେବ ସମାଧାନ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁରୈନାରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ୮ ବର୍ଷର ଏକ ଶିଶୁ ନିଜ ଦାଦିମାଙ୍କ ପାଦ ଛୁଇଁବାକୁ ମନା କରି ଦେଇଛି । ଯେତେବେଳେ ତାକୁ ଏହାର କାରଣ ପଚରାଯାଇଛି ସେତେବେଳେ ସେ କହିଛି ଯେ, ମହିଳା ଜଣକ ତାଙ୍କର ଦାଦିମା ନୁହଁନ୍ତି ବରଂ ତାଙ୍କ ପତ୍ନୀ । ଏହା ଶୁଣିବା ପରେ ପୁରା ପରିବାର ସ୍ତବ୍ଧ ହୋଇଯାଇଥିଲେ । କେବଳ ଏତିକି ନୁହେଁ ବାଳକ ନିଜ ମା’ଙ୍କୁ ନିଜ ଝିଅ ବୋଲି କହିଥିଲା । ଏହି ବାଳକ କହିଥିଲା ପୂର୍ବ ଜନ୍ମରେ ଯେତେବେଳେ ତାର ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କ ଝିଅ (ଯିଏ ଏହି ଜନ୍ମରେ ମା’)ଗର୍ଭବତୀ ଥିଲା । ତାର ମୃତ୍ୟୁର ୧୩ ଦିନରେ ସେ ପୁଅକୁ ଜନ୍ମ ଦେଇଥିଲା । ୪ ବର୍ଷ ବୟସରୁ ସେ ମା’ଙ୍କୁ ନିଜ ଝିଅ ବୋଲି କହି ଆସୁଛି ।

ଏହାପୂର୍ବରୁ ରାଜସ୍ଥାନରେ ମଧ୍ୟ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା । ୨୦୧୮ରେ ଜନ୍ମ ନେଇଥିବା ଏକ ଶିଶୁ ମାତ୍ର ଅଢେଇ ବର୍ଷ ବୟସରେ ଫଟାଫଟ୍ ଇଂରାଜୀ କହିପାରୁଥଇଲା । ଏଠିକାର ସିନ୍ଥଲ ଗ୍ରାମରେ ରହୁଥିବା ଏହି ଶିଶୁ ଏପରି ଏକ ପରିବାରରେ ଜନ୍ମ ନେଇଥିଲା ଯେଉଁଠି କେହି ବି ଇଂରାଜୀ କହିବା କି ଲେଖିବା ଶିଖି ନ ଥିଲେ । ଏହି ଶିଶୁ ନିଜକୁ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ସ୍ରିସା ବୋଲି କହୁଥିଲା । ଏହି ପ୍ରକାରର ବହୁ ମାମଲା ବେଳେ ବେଳେ ସାମ୍ନାକୁ ଆସିଛି । ପୁନଃଜନ୍ମ ଉପରେ ବହୁ ଫିଲ୍ମ ବି ତିଆରି ହୋଇଛି ।

ତେବେ ସତରେ କ’ଣ ପୁନର୍ଜନ୍ମ ହୋଇଥାଏ? ଦିଲ୍ଲୀରେ ରହୁଥିବା ହିପ୍ନୋଥେରାପିଷ୍ଟ ରୁଚା ସୁମନ ବ୍ୟାସ ଏହି ପ୍ରଶ୍ନର ଉତ୍ତର ହଁରେ ରଖିଛନ୍ତି । ସେ କହିଛନ୍ତି ପୂର୍ବ ଜନ୍ମର ପ୍ରଭାବ ଆମର ଏ ଜନ୍ମ ଉପରେ ବହୁ ମାତ୍ରାରେ ପଡିଥାଏ । କିଛି ଲୋକଙ୍କର ଏହା ମନେ ରହିଥାଏ ଓ ଆଉ କିଛି ଲୋକଙ୍କର ମନେ ରୁହେ ନାହିଁ । ଯେଉଁମାନଙ୍କର ପୂର୍ବ ଜନ୍ମ ବିଷୟରେ କିଛି ମନେ ରହି ନ ଥାଏ ସେମାନେ ପାଷ୍ଟ ଲାଇଫ୍ ରିଗ୍ରେସନ ଥେରାପି ସାହାଯ୍ୟରେ ନିଜର ପୂର୍ବ ଜନ୍ମକୁ ଦେଖିପାରିବେ । ଏହି ପାଷ୍ଟ ଲାଇଫ୍ ରିଗ୍ରେସନ ଥେରାପି ସାହାଯ୍ୟରେ କେବଳ ମାନସିକ କି ଭାବନାତ୍ମକ ନୁହେଁ ଶାରୀରିକ ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିବ । ଏହି ଥେରାପି ପଶ୍ଚିମ ଦେଶ ଗୁଡିକରେ ଅଧିକ ମାତ୍ରାରେ ପ୍ରଚଳିତ । କିନ୍ତୁ ଭାରତରେ ଏବେ ମଧ୍ୟ ଏହାର ପ୍ରଚଳନ ବଢିବାରେ ଲାଗିଛି । ଆମେରିକାର ଫିଜିଓଥେରାପିଷ୍ଟ ଓ ହିପ୍ନୋଥେରାପିଷ୍ଟ ଡା. ବ୍ରେନ୍ ୱିସ୍ ଙ୍କ ନାମ ଏହି ଥେରାପି କ୍ଷେତ୍ରରେ ବେଶ୍ ଜଣାଶୁଣା ।

ଏହି ଥେରାପି ଦୁଇଟି ଥିଓରୀ ଉପରେ ଆଧାରିତ, ରିଇନକାର୍ନେସନ ଓ ଲ ଅଫ୍ କର୍ମ । ରିଇନକାର୍ନେସନ ଅର୍ଥ ପୁନଃଜନ୍ମ । କୁହାଯାଏ ମଣିଷର ଆତ୍ମାର ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ପୁନଃଜନ୍ମ ନେଇଥାଏ । ସେହିପରି ଲ ଅଫ୍ କର୍ମର ଅର୍ଥ ମଣିଷ ଯେଉଁପରି କର୍ମ କରିଥାଏ ତାହା ଅନୁଯାୟୀ ଫଳ ପାଇଥାଏ । ଅର୍ଥାତ୍ ଯଦି କେହି ଗୋଟିଏ ଜନ୍ମରେ ଖରାପ କର୍ମ କରିଛି ତେବେ ସେ ଆଗାମି ଜନ୍ମରେ ଭଲ କରି ଏହି ଋଣ ସୁଝିବ ।
ହିପ୍ନୋଥେରାପିଷ୍ଟ ଡା. ରୁଚା କହନ୍ତି ଯଦି ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖାଦେଇଛି କିନ୍ତୁ ଡାକ୍ତରଙ୍କୁ ଦେଖାଇବା ପରେ ବି ରୋଗର କାରଣ ଧରାପଡୁନାହିଁ ତେବେ ଏହି ଯାଗାରେ ଆପଣ ପାଷ୍ଟ ଲାଇଫ୍ ରିଗ୍ରେସନ ଥେରାପିର ଉପଯୋଗ କରିପାରିବେ । କାରଣ ଏହି ସମସ୍ୟା ଆପଣଙ୍କୁ ପୂର୍ବ ଜନ୍ମର କିଛି ଭୁଲ୍ ରୁ ଆସିଥାଇପାରେ । ଡା.ରୁଚା ଆହୁରି କହିଛନ୍ତି ଏହି ଥେରାପିରେ ବହୁ ଲୋକ ପୂର୍ବଜନ୍ମ ବିଷୟରେ ଏକଦମ୍ ସଠିକ୍ ସମୟ, ସ୍ଥାନ, ଘଟଣା ଆଦି ବିଷୟରେ ସୂଚନା ଦେଇପାରିଛନ୍ତି ।

Get real time updates directly on you device, subscribe now.