fbpx

ବିକାଶର ବିକଳ ଚିତ୍ର, ଆସିପାରୁନି ଆମ୍ବୁଲାନ୍ସ, କାନ୍ଧରେ ବୁହାହେଲେ ରୋଗୀ

ଆଗରେ ଦୁଇ ଜଣ ଆଉ ପଛରେ ଜଣେ । ଏଭଳି କାନ୍ଧରେ ବୁହା ହୋଇ ଯାଉଛନ୍ତି ରୋଗୀ । କାରଣ ଗାଁକୁ ଯିବାକୁ ନାହିଁ ରାସ୍ତା, ଆମ୍ବୁଲାନ୍ସ ବି ପ୍ରବେଶ କରିପାରୁନି ଗାଁକୁ । ଯାହାଫଳରେ ରୋଗୀଙ୍କୁ କାନ୍ଧରେ ବୋହି ନେଇ ଯାଉଛନ୍ତି ଲୋକେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ପରସିଙ୍ଗା ପରିଡା ସାହିରୁ । ଗାଁର ଚିତ୍ର ସାହୁ ନାମକ ଜଣେ ବୟସ୍କ ବ୍ୟକ୍ତି ପାରାଲିସିସ୍ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କୁ ଲୋକମାନେ ବାଧ୍ୟ ହୋଇ କାନ୍ଧରେ ବୋହି ନେଇ ମୁଖ୍ୟ ରାସ୍ତାକୁ ଆଣିଥିଲେ । ପରେ ଗାଡ଼ିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଭଲ ହେବା ପରେ ପୁଣି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ କାନ୍ଧର ବୋହି ଘରକୁ ଆଣିଥିଲେ ।

ସ୍ୱାଧୀନତାର ଦୀର୍ଘ ଦିନ ପରେ ବି ଗାଁକୁ ନାହିଁ ରାସ୍ତା । ଏହି ସାହିକୁ ଯିବାକୁ ନା ଅଛି ଭଲ ରାସ୍ତାଟିଏ ନା ସରକାରଙ୍କ କୌଣସି ମୌଳିକ ସୁବିଧା ବି ପାଉଛନ୍ତି ଏମାନେ । ଫଳରେ ବିଭିନ୍ନ ସମୟରେ ଏଠାକାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଦୁଅ ପଚ ପଚ ପାଦ ଚଲା ରାସ୍ତାହିଁ ଅଞ୍ଚଳବାସୀଙ୍କ ଯାତାୟାତର ଏକମାତ୍ର ଭରସା ପାଲଟିଛି । ତେବେ ଏଭଳି ସ୍ଥିତିରେ ଆମ୍ବୁଲାନ୍ସ କିଭଳି ଆସିବ ତାହା ଭାବିବା  ବି ବୃଥା । ଏପରିକି ଏହି ରାସ୍ତାର ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ପ୍ରଶାସନ ଯାଏ ନିବେଦନ କରି ଆସୁଥିଲେ ସୁଦ୍ଧା ଏଥିପ୍ରତି କାହାରି ଦୃଷ୍ଟି ପଡୁନି । ଯାହାକୁ ନେଇ ଅଞ୍ଚଳବାସୀ ଦୁଖ ପ୍ରକାଶ କରିବା ସହ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.