ବୁଢ଼ା ଗଛକୁ ପେନସନ ଦେବେ ସରକାର: ଗଛର ଯତ୍ନ ଯିଏ ନେବ ସିଏ ପାଇବ ଅର୍ଥରାଶି

ନୂଆଦିଲ୍ଲୀ: ସାଧାରଣ ଭାବେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ କର୍ମଚାରୀଙ୍କୁ ବୃଦ୍ଧାବସ୍ଥାରେ ପେନସନ ମିଳିଥାଏ । କିଛି ଘରୋଇ ସଂସ୍ଥାର କର୍ମଚାରୀମାନେ ମଧ୍ୟ ପେନସନ ପାଇଥାନ୍ତି । ତେବେ କୌଣସି ଗଛ ପେନସନନ ପାଉଥିବା କଥା କେବେ ଶୁଣିଛନ୍ତି । ଏଣିକି ୭୫ ବର୍ଷ ଅଧିକ ବୟସର ସମସ୍ତ ଗଛଙ୍କ ପାଇଁ ସରକାର ଏକ ପେନସନ ସ୍କିମ ଲାଗୁ କରିଛନ୍ତି । ୫ ବର୍ଷ ପର୍ଯ୍ୟନ୍ତ ଏହି ସ୍କିମର ବୈଧତା ଜାରି ରହିବ ।

ସୂଚନା ମୁତାବକ, ହରିୟାଣା ସରକର ନିକଟରେ ବୟସ୍କ ଗଛମାନଙ୍କ ପାଇଁ ପେନସନ ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନାର ନାମ ହେଉଛି ‘ହରିୟାଣା ପ୍ରାଣ ବାୟୁ ଦେବତା ପେନସନ ସ୍କିମ ।’ ୭୫ ବର୍ଷରୁ ଅଧିକ ପୁରୁଣା ଗଛର ଦେଖାଶୁଣା କରୁଥିବା, ଯତ୍ନ ନେଉଥିବା ଲୋକଙ୍କୁ ୨୫୦୦ ଟଙ୍କାର ପେନସନ ଦିଆଯିବ । ଏହି ପେନସନ ରାଶି ବର୍ଷକୁ ଗୋଟିଏ ଥର ମିଳିବ । ଏହି ରାଶି ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ଜମା ହେବ ।

ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ହରିୟାଣା ସରକାର ଗଛ ପାଇଁ ପେନସନ ଯୋଜନା ଲାଗୁ କରିଛନ୍ତି । ପୁରୁଣା ବୃକ୍ଷଗୁଡ଼ିକର ରକ୍ଷା ଓ ସଂରକ୍ଷଣ ପାଇଁ ସରକାର ଏହି ସ୍କିମ ଆଣିଛନ୍ତି । ଜଣେ ବୃଦ୍ଧଙ୍କୁ ଯେପରି ମାସିକ ପେନସନ ମିଳୁଛି, ସେହିପରି ଗଛର ଦେଖାଶୁଣା କରିବା ପାଇଁ ସରକାର ବାର୍ଷିକ ପେନସନ ରାଶି ପ୍ରଦାନ କରିବେ । ନିକଟରେ ରାଜ୍ୟ ପରିବେଶ ମନ୍ତ୍ରୀ ଏକ ଆନ୍ତଃରାଜ୍ୟ ପରିବେଶ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅନେକ ରାଜ୍ୟର ମନ୍ତ୍ରୀ ଏହି ସ୍କିମକୁ ପ୍ରଶଂସା କରିବା ସହିତ ଏ ସମ୍ବନ୍ଧୀୟ ତଥ୍ୟ ନେଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ୩୩୦୦ରୁ ଅଧିକ ଗଛକୁ ଚୟନ କରିସାରିଥିବା ବେଳେ ୫ ବର୍ଷ ପରେ ଏହି ସ୍କିମ ଜରିଆରେ ଆହୁରି ଅଧିକ ସଂଖ୍ୟକ ଗଛକୁ ଚିହ୍ନଟ କରାଯିବ । ଯେଉଁ ପୁରୁଣା ଗଛ ତଳେ ପଡ଼ିରହିଥିବ, ଶୁଖିଯାଇଥିବ, ମୃତ ଅବସ୍ଥାରେ ଥିବା ତାହାକୁ ଏଥିରେ ସାମିଲ କରାଯିବ ନାହିଁ ।