ଅମରଙ୍କ ବିଶ୍ୱସନିୟତା ଉପରେ ଜନତା ଉଠାଉଛନ୍ତି ପ୍ରଶ୍ନ

ଭୁବନେଶ୍ୱର: ଗତ କିଛି ଦିନ ହେବ ବଡଚଣାର ପୂର୍ବତନ ବିଧାୟକ ଗଣମାଧ୍ୟମରେ ଛାୟୀ ଯାଇଛନ୍ତି । ଦୈନିକ ମିଡିଆ ଆଗରେ ନେତାଙ୍କୁ କରୁଛନ୍ତି ପ୍ରଶ୍ନ ବାଣରେ ଘାଇଲା । ଅମରଙ୍କ ଘନ ଘନ ଆକ୍ରମଣରେ ଦଳପତି ଶର ଶଯ୍ୟାରେ ରକ୍ତ ଜର୍ଜରିତ ହୋଇ ପଡିଛନ୍ତି । ଯାହାକୁ ଦେଖି ପ୍ରଥମେ ମୁଖପାତ୍ର ଲେନିନ ମହାନ୍ତି ଓ ଆଜି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଅମରଙ୍କୁ ତାଙ୍କ ଔକାତ ଦେଖାଇ ଦେଇଛନ୍ତି ।

ଅବଶ୍ୟ ଅମର ଦଳର ନେତୃତ୍ୱଙ୍କୁ କହିଲେ, ଏମିତି ତେଲମରା ନେତା ଆଗକୁ ଆସିବେ ଓ କିଛି ନା କିଛି ବୟାନବାଜି କରିବେ, ଏହା ଚରାଚରିତ କଥା । କିନ୍ତୁ ଲୋକଙ୍କ ଭିତରେ ଅମରଙ୍କର ଲୋକଙ୍କ ପ୍ରତି ବିଶ୍ୱସନିୟତା ଓ ଅଙ୍ଗିକାରବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅମର କହିଛନ୍ତି, ଦଳ ଗଠନ ଯେଉଁ ନୀତି, ଆଦର୍ଶକୁ ନେଇ କରାଯାଇଥିଲା୍ ଏବେ ସେଥିରୁ ଓହରି ଯାଇଛି । ଯାହା ଅମରଙ୍କୁ ବ୍ୟଥିତ କରିଛି ବୋଲି ସେ ବାରମ୍ବାର କହୁଛନ୍ତି।

ଯାହାକୁ ନେଇ ଲୋକେ ଅମରଙ୍କୁ ପଚାରୁଛନ୍ତି, ତେବେ କଣ ଚଳିତ ନିର୍ବାଚନ କାଳରେ ହିଁ ଦଳ ତାର ଆଦର୍ଶପଥରୁ ବିଚ୍ୟୁତ ହେଲା? ଏହା ପୂର୍ବରୁ ସବୁ ଠିକ ଥିଲା । ଏବେ ଅମର କହୁଛନ୍ତି, ଦଳରୁ ପ୍ରତିଷ୍ଠାତା ସଦସ୍ୟଙ୍କୁ ଜଣ ଜଣ କରି ବିତାଡିତ କରାଯାଇଥିଲା । ସେତେବେଳେ କାହିଁକି ଅମର ଶତପଥୀ ଚୁପ ବସିଥିଲେ ବୋଲି ଜନତା ପ୍ରଶ୍ନ କରୁଛନ୍ତି । ଏଥିସହ, ନଳୀନି ମହାନ୍ତି, ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଏମିତି କି ଏବେକାର ସାଂସଦ ତଥା ପୂର୍ବତନ ଗୋପାଳପୁର ବିଧାୟକଙ୍କ ବିରୋଧରେ ମାଳ ମାଳ ମିଛ ମାମଲା ଖଞ୍ଜି ଯେତେବେଳେ ଜନ ବିରୋଧୀ ନେତା କହି ବିତାଡିତ କରାଗଲା ବା ସୌମ୍ୟ ପଟ୍ଟନାୟକଙ୍କ ପରି ଜଣେ ନେତାଙ୍କୁ ଦଳବିରୋଧୀ ଆଖ୍ୟା ଦିଆଗଲା, ସେହି ସମୟରେ ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ ହେବା ଦୃଷ୍ଟିରୁ ନିଜ ନେତାଙ୍କୁ କେବେ ଅମର ପ୍ରଶ୍ନ କରିଥିଲେ କି ବୋଲି ଜନତା ପ୍ରଶ୍ନ କରୁଛନ୍ତି ।

ଏହାକୁ ନେଇ ଆଜି ଅମର କହିଛନ୍ତି, ଦଳରେ ଆଗରୁ ଅନେକ ଘଟଣା ଘଟିଛି । କିନ୍ତୁ ସେ ନିଜ ଅଞ୍ଚଳବାସୀଙ୍କ ଅନୁରୋଧରେ ଓ ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଦଳରେ ନିରବ ରହିବାକୁ ବାଧ୍ୟ ହୋଇଥିଲେ । ତେବେ ନିଜ ମାଟିର ଖଣି ଲୁଣ୍ଠନରେ ନିରବ ରହିବା, ଦଳୀୟ ସମାସ୍କନ୍ଦ ନେତାଙ୍କ ସହ ଅନୀତି ବେଳେ ଚୁପ ବସିବା କଣ ବାସ୍ତବରେ ଅମର ଲୋକଙ୍କ ପାଇଁ କରିଥିଲେ? ନା ଶାସକ ଦଳରେ ବିଧାୟକ ରହି ନିଜ ଭାଗ ପାଉଥିବାରୁ ନିରବ ରହିବାକୁ ଶ୍ରେୟ ମଣି ଥିଲେ?

ବର୍ତ୍ତମାନ ଅମରଙ୍କ ଆର୍ତ୍ତ ଚିକ୍ରାରକୁ ଦେଖି ଲୋକେ କହୁଛନ୍ତି, ଅମର ଭୁଲିଯାଇଥିଲେ, ଅନ୍ୟର ଘରେ ନିଆଁ ଲାଗିବା ଦେଖି ଖୁସିହେଉଥିବା ବ୍ୟକ୍ତି ଭୁଲିଯାଏ, ସାମାନ୍ୟ ପବନର ଦିଗ ପରିବର୍ତ୍ତନ ତା ଘରକୁ ମଧ୍ୟ ଜାଳିଦେବ । ଯେତେବେଳେ ବରିଷ୍ଠଙ୍କୁ ଦଳରୁ ଗୋଟିଗୋଟି କରି ତଡାଯାଉଥିଲା, ସେତେବେଳେ ନିଜ ସ୍ୱର ଶାଣିତ କରିଥିଲେ ହୁଏତ ଆଜି ଏ ଦିନ ଦେଖିବାକୁ ମିଳିନଥାନ୍ତା । ଯଦିବି ଏଥିପାଇଁ ଦଳରୁ ବିତାଡିତ ହୋଇଥାନ୍ତେ, ତେବେ ଲୋକେ ଆଜି ତାଙ୍କୁ ପ୍ରଶ୍ନ କରିବାର ସାହାସ କରି ନ ଥାନ୍ତେ ଓ ଲୋକଙ୍କ ପାଖରେ ହିରୋ ହୋଇଯାଇଥାନ୍ତେ ।

Get real time updates directly on you device, subscribe now.