fbpx

Capital Hospitalରେ ପିଜିଆଇ ନାମଲେଖା ପାଇଁ ମିଳିଲା ଅନୁମତି: ଜାଣନ୍ତୁ କେବେଠୁ ଆରମ୍ଭ ହେବ ପାଠପଢ଼ା ?

ଭୁବନେଶ୍ୱର : ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । Capital Hospitalରେ ପିଜିଆଇ ନାମଲେଖା ପାଇଁ ଦୁଇଟି ବିଭାଗକୁ ଏନଏମସି (ନ୍ୟାସନାଲ ମେଡିକାଲ କମିସନ) ଅନୁମୋଦନ କରିଛି। ଯାହାଦ୍ବାରା ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା କାଉନସେଲିଂରେ ନାମଲେଖା ହୋଇ ପାଠ ପଢାଯିବ ବୋଲି ଜଣାପଡିଛି। ଏନଏମ୍‌ସି ଅନୁମୋଦନ ପରେ ଏବେ ପିଜିଆଇ ପଥ ସମ୍ପୂର୍ଣ୍ଣ ଭାବରେ ପରିଷ୍କାର ହୋଇଛି।

ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ ୬ଟି କ୍ଲିନିକାଲ ବିଭାଗରେ ପିଜିଆଇ ପାଠ୍ୟକ୍ରମ ନେଇ ଏନଏମ୍‌ସି ତଦାରଖ କରିଥିଲା । କିନ୍ତୁ ଦୁଇଟି ବିଭାଗକୁ ନାମଲେଖା ପାଇଁ ସବୁଜ ସଙ୍କେତ ମିଳିଛି। ଭେଷଜ ବିଭାଗରେ ୫ଟି ସିଟ ଓ ଅସ୍ଥିଶଲ୍ୟ ବିଭାଗରେ ୨ ସିଟ ପାଇଁ ନାମଲେଖା ହେବ। ଅନ୍ୟ ଚାରି ବିଭାଗ ଏମିତିକି ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ ଏବଂ ଛାତି ବିଭାଗରେ ଆସନ୍ତା ସପ୍ତାହ ମଧ୍ୟରେ ଏନଏମ୍‌ସି ଅନୁମୋଦନ ଦେବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ସେହିପରି ସମସ୍ତ ବିଭାଗରେ ପ୍ରଫେସର, ସହାକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ସିନିୟର ରେସିଡେନ୍ସି ନିଯୁକ୍ତି ପାଇସାରିଛନ୍ତି। ସମସ୍ତଙ୍କ ପାଇଁ ରହିଥିବା ବିଭାଗ ନିକଟରେ ଗୃହ ବା ଚାମ୍ବର ଯୋଗାଇ ଦିଆଯାଇଥିବାବେଳେ ଭିତ୍ତିଭୂମି କାର୍ଯ୍ୟ ଶେଷ ହେବା ପରେ ନନ-କ୍ଲିନିକାଲ ବିଭାଗରେ ପାଠ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିକିତ୍ସାଳୟ ପକ୍ଷରୁ ଜଣାପଡିଛି। ଏହାଛଡା ଚିକିତ୍ସାଳୟ ପରିସରରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଏକ କୋଠରୀକୁ ଅସ୍ଥାୟୀଭାବେ ପିଜିଆଇ କାର୍ଯ୍ୟାଳୟ କରାଯାଇଛି। ସେହିପରି ପିଜିଆଇ ନିମନ୍ତେ ଏକ ସ୍ବତନ୍ତ୍ର ୱେବସାଇଟ କରାଯାଉଛି। ଯାହାକି ଖୁବଶୀଘ୍ର କାର୍ଯ୍ୟକାରୀ ହେବ।

ଅନ୍ୟପକ୍ଷରେ ମୋଟ ୧୫ଟି ବିଭାଗରେ ଶିକ୍ଷାଦାନ ଦିଆଯିବ। ଯେଉଁଥିରେ ୧୧ କ୍ଲିନିକାଲ ଓ ୪ ନନ କ୍ଲିନିକାଲ ବିଭାଗକୁ ମନୋନୟନ କରାଯାଇଛି । ଏଥିରେ ରହିଛି ଭେଷଜ, ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ,ଅସ୍ଥିଶଲ୍ୟ,ଆନାସ୍ଥେସିଆ, ରେଡିଓ ଡିଗ୍ନୋସିସ୍, ,କର୍ଣ୍ଣ, ଗଳା ଓ ନାସା, ଶିଶୁ, ଚକ୍ଷୁ, ଛାତି ଓ ଜରୁରୀକାଳୀନ ଭେଷଜ ବିଭାଗ ସହ ନନ କ୍ଲିନିକାଲରେ ପାଥୋଲୋଜି, ମାଇକ୍ରୋ ବାଇଓଲୋଜି ସହିତ ବାଇଓ କେମିଷ୍ଟ୍ରି ଓ ଏଫଏମଟି ଶିକ୍ଷାଦାନ ଦିଆଯିବ । ମୋଟ ୫୩ ଛାତ୍ରଛାତ୍ରୀ ପାଠ ପଢିବେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରାବାସ, ପାଠାଗାର ପ୍ରଶାସନିକ କାର୍ଯ୍ୟାଳୟ ରହିବ। ପିଜିଆଇରେ ମୋଟ ୧୫ ବିଭାଗରେ ୧୭୮ ପଦବୀ ରହିଛି । ଶିକ୍ଷାଦାନରେ ୧୨୦, ଅନ୍ୟ କାର୍ଯ୍ୟ (ନନ୍ ଟିଚିଂ) ପାଇଁ ୫୦ ଏବଂ କାର୍ଯ୍ୟାଳୟ ପାଇଁ ୮ ଜଣଙ୍କୁ ନିଯୁକ୍ତି ମିଳିବ`।

 

 

Get real time updates directly on you device, subscribe now.