fbpx

ନିର୍ବାଚନ ସରିବ, ପେଟ୍ରୋଲ, ଡିଜେଲ ବଢ଼ିବ: ଅଶୋଧିତ ତୈଳ ପାଇଁ ମହଙ୍ଗା ହେବ ତୈଳ ଦର

ନୂଆଦିଲ୍ଲୀ: ପୁଣି ସାଧାରଣ ଜନତାଙ୍କ ମୁଣ୍ଡରେ ପଡ଼ିବ ଚଡ଼କ । ପୁଣି ବଢ଼ିବ ପେଟ୍ରୋଲ, ଡିଜେଲ ଦର । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦରଦାମକୁ ଅଟକାଇ ଦିଆଯାଇଛି । ନିକଟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଦେଶରେ ତୈଳ ଦର ବଢ଼ୁ ନାହିଁ । ଏହାକୁ ନେଇ ଗତମାସରେ କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍ ବ୍ୟାରେଲ ପିଛା ୯୩ ଡଲାର ପହଞ୍ଚିଥିବା ଜଣାପଡ଼ିଛି । ଯଦି ଆଗକୁ ଭୋଟ ନଥାନ୍ତା, ତେବେ ବର୍ତ୍ତମାନ ତୈଳ ଦର ଆକାଶଛୁଅାଁ ହୋଇ ସାରନ୍ତାଣି ବୋଲି ଚର୍ଚ୍ଚା ହେଉଛି ।

ସାଧାରଣତଃ ବିଭିନ୍ନ ରାଜନୈତିକ ଦଳମାନେ ଭୋଟ ପାଇବା ଆଶାରେ ନିର୍ବାଚନ ପୂର୍ବରୁ କିଛିଟା ଲୋଭନୀୟ ଅଫରର ଶୁଭାରମ୍ଭ କରିଥାନ୍ତି । ଆଗକୁ ନିର୍ବାଚନ ଥିବାରୁ ତୈଳ ଦଳକୁ ଚାପି ରଖାଯାଇଛି । ଫଳ ପ୍ରକାଶ ପାଇବା ପରେ, ଗାଦି ହାସଲ ପରେ ଆଉ କିଛି ପଚାରୁଛି ଜନସାଧାରଣଙ୍କୁ । ଯିଏ ମରୁଛି ମରୁ, ଆମେ ତ କ୍ଷମତା ପାଇଗଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଅଶୋଧିତ ତୈଳ ଦଳ ବ୍ୟାରେଲ ପିଛା ୧୦୦ ଟପିବ ବୋଲି କିଛି ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ । ତେବେ ଅନ୍ତର୍ଜାତୀୟ ବଜାରରେ ଏହି ଦର ବଢ଼ିବାରେ ଫଳରେ ପେଟ୍ରୋଲ, ଡିଜେଲ ଦର ନିଶ୍ଚିତ ବଢ଼ିବ ।

ପରିସଂଖ୍ୟାନ ଅନୁଯାୟୀ, ଅଶୋଧିତ ତୈଳ ବ୍ୟାରେଲ ପିଛା ୧ ଡଲାର ମହଙ୍ଗା ହେଲେ ପେଟ୍ରୋଲ ଓ ଡିଜେଲ ୬୦ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଥାଏ । ଅଶୋଧିକ ତୈଳ ଦର ୧୦୦ ଡଲାର ଟପିଲେ ପେଟ୍ରୋଲ ଓ ଡିଜେଲ ୧୦ ଟଙ୍କା ବଢ଼ିବା ସ୍ୱାଭାବିକ । ତେଣୁ ବର୍ତ୍ତମାନ ଏହି ମୂଲ୍ୟ ୯୩ ଥିବାବେଳେ ଆସନ୍ତା ମାସରେ ଏହା ୧୦୦ ଟପିପାରେ । ଅନ୍ୟପକ୍ଷରେ ବର୍ତ୍ତମାନ ଦୁଇ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦ ଲାଗିଥିବାରୁ ବଜାରରୁ ତୈଳ ଯୋଗାଣ ହ୍ରାସ ପାଇଛି, ଯାହାଫଳରେ ତୈଳଦର ନିଶ୍ଚିତ ଭାବେ ବୃଦ୍ଧି ପାଇବ ।

Get real time updates directly on you device, subscribe now.