+୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା

ଭୁବନେଶ୍ୱର: ରାଜ୍ୟରେ ଥିବା ଯୁକ୍ତ ତିନି ମହାବିଦ୍ୟାଳୟ ଗୁଡ଼ିକରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆଜି ମେଧା ତାଲିକା ପ୍ରକାଶ ପାଇଛି । ଏହି ପ୍ରକ୍ରିୟାରେ ୧ ହଜାର ୪୭ଟି ମହାବିଦ୍ୟାଳୟରେ ବଳକା ଥିବା ଆସନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ । ଆଜିଠାରୁ ୨୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ନାମଲେଖା ଫି’ ଅନ୍‍ଲାଇନ ମାଧ୍ୟମରେ ପୈଠ କରିବା ସହ ଆସନ୍ତାକାଲିଠାରୁ ୩୦ ତାରିଖ ମଧ୍ୟରେ ନିର୍ଦ୍ଧାରିତ କଲେଜକୁ ଯାଇ ନାମ ଲେଖାଇବେ ।

୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ ହଜାର ୩୪୭ ସିଟ୍‌ରେ ନାମଲେଖା ହେବ । କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬ ୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮୬୨୯, ବାଣିଜ୍ୟର ୩୨୩୮୦, ସେଲ୍ଫ ଫାଇନାନ୍ସିଂର ୨୦୮୬ ଓ ସଂସ୍କୃତରେ ୯୧୪୮ ସିଟ୍‌ ରହିଛି ।

ସ୍ନାତକ ନାମଲେଖା ଲାଗି ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଇଡି ରହୁଥିଲା । ଏଥର ପଞ୍ଜୀକରଣ ପେଜ୍‌ରେ ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ ଉଲ୍ଲେଖ ରହିବ । ନାମଲେଖା ପ୍ରକ୍ରିୟା ସରିବା ପର୍ୟ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ଆକ୍ଟିଭ୍‌ ରଖିବାକୁ ପରାମର୍ଶ ଦିଆଯାଇଛି ।