fbpx

ଲଞ୍ଚ ହେବାକୁ ଯାଉଛି ପିଏମ ଇଣ୍ଟର୍ନସିପ୍ ପୋର୍ଟାଲ୍, ଏହି ତାରିଖରୁ କରିପାରିବେ ଆବେଦନ: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅକ୍ଟୋବର ୩ ରୁ ପିଏମ ଇଣ୍ଟର୍ନସିପ୍ ସ୍କିମ ଅଧୀନରେ ଏକ କେନ୍ଦ୍ରୀଭୂତ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛନ୍ତି, ଯାହା ଯୁବକମାନଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବ । ଏହି ପୋର୍ଟାଲ୍ ମାଧ୍ୟମରେ ବିଭିନ୍ନ କମ୍ପାନୀ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିବାକୁ ସମର୍ଥ ହେବେ ।

ଆଗ୍ରହୀ  ଇଣ୍ଟର୍ନମାନେ ଏହି ସ୍ୱତନ୍ତ୍ର ପୋର୍ଟାଲ୍ (ପିଏମ ଇଣ୍ଟର୍ନସିପ୍ ସ୍କିମ୍ ପୋର୍ଟାଲ୍) ରେ ଅକ୍ଟୋବର ୧୨ ରୁ ଆବେଦନ କରିପାରିବେ ।

ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ଉପଲବ୍ଧ ପଦବୀ ପାଇଁ ସ୍ୱୟଂଚାଳିତ ଭାବରେ ଦୁଇଗୁଣ ଆବେଦନକାରୀଙ୍କୁ ଚୟନ କରିବା । ଆବେଦନକାରୀଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ, ଯେଉଁଥିରେ ସେମାନଙ୍କୁ ସେମାନଙ୍କର ଆଗ୍ରହ ଏବଂ କୌଶଳ ବିଷୟରେ ସୂଚନା ଦେବାକୁ ପଡିବ । କେଉଁ ପ୍ରାର୍ଥୀ କେଉଁ କମ୍ପାନୀ ପାଇଁ ଉପଯୁକ୍ତ ତାହା ପୋର୍ଟାଲ ସ୍ଥିର କରିବ । ଏହା ସହିତ ସିଭି ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ।

ବଜେଟରେ ହୋଇଥିଲା ଘୋଷଣା :-

ପ୍ରାର୍ଥୀମାନେ ସେମାନଙ୍କର ପ୍ରୋଫାଇଲ୍, ପସନ୍ଦ ଏବଂ ଯୋଗ୍ୟତା ଆଧାରରେ ମନୋନୀତ ହେବେ । ଏହି ଯୋଜନାରେ ଅଂଶଗ୍ରହଣ କରୁଥିବା କମ୍ପାନୀଗୁଡିକ ଏହି ମନୋନୀତ ତାଲିକାରୁ ସେମାନଙ୍କ ପ୍ରାର୍ଥୀ ଚୟନ କରିବେ । ସୂଚନାନୁସାରେ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଅଂଶଗ୍ରହଣକାରୀ କମ୍ପାନୀଗୁଡିକୁ ପ୍ରାର୍ଥୀଙ୍କ ଯୋଗ୍ୟତା ପାଇଁ ନିର୍ଦ୍ଦେଶାବଳୀ ପଠାଇଛି । ଜୁଲାଇରେ ଉପସ୍ଥାପିତ ବଜେଟରେ କେନ୍ଦ୍ର ସରକାର ଏକ କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ଯୋଗାଇବା ପାଇଁ ଯୋଜନା ଘୋଷଣା କରିଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଦାନୀ ଗ୍ରୁପ୍ ଏବଂ ମହିନ୍ଦ୍ରା ପରି କମ୍ପାନୀଗୁଡିକ ଏହି ଯୋଜନାରେ ଆଗ୍ରହ ଦେଖାଇଛନ୍ତି ।

ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ :-

ଆବେଦନକାରୀ ଦଶମ ପାସ୍ କରିଥିବା ଆବଶ୍ୟକ, ବୟସ ୨୧ ରୁ ୨୪ ବର୍ଷ ହେବା ଉଚିତ୍ ଏବଂ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ଏହା ବ୍ୟତୀତ ଆବେଦନକାରୀଙ୍କୁ ଚାକିରି ସହିତ ଫୁଲ୍ ଟାଇମ୍ କୋର୍ସ କିମ୍ବା ଇଣ୍ଟର୍ନସିପ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଆଇଆଇଟି, ଆଇଆଇଏମ ଓ ଆଇଆଇଏସଇଆର ପରି ପ୍ରତିଷ୍ଠିତ ଅନୁଷ୍ଠାନରୁ ସ୍ନାତକ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ ନାହିଁ । ଅନଲାଇନ୍ ପାଠ୍ୟକ୍ରମ କିମ୍ବା ଧନ୍ଦାମୂଳକ ତାଲିମ ଅନୁସରଣ କରୁଥିବା ଛାତ୍ରମାନେ ଏହି ଯୋଜନାରେ ଅଂଶଗ୍ରହଣ କରିପାରିବେ ।

ଏତିକି ମିଳିବ ଷ୍ଟାଇପେଣ୍ଡ :-

ପ୍ରତ୍ୟେକ ଇଣ୍ଟର୍ନଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଷ୍ଟାଇପେଣ୍ଡ ପାଇବେ, ସେଥିମଧ୍ୟରୁ ୪,୫୦୦ ଟଙ୍କା ସରକାର ଏବଂ ୫୦୦ ଟଙ୍କା କମ୍ପାନୀ ପ୍ରଦାନ କରିବ । ଗୋଟିଏ ବର୍ଷ ପରେ ସରକାର ଅତିରିକ୍ତ ୬,୦୦୦ ଟଙ୍କା ମଧ୍ୟ ପ୍ରଦାନ କରିବେ ।

ଏଗୁଡ଼ିକ ହେଉଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-

ଆବେଦନ କରିବାକୁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡ଼ିକରେ ଆଧାର କାର୍ଡ, ଇମେଲ ଆଇଡି, ମୋବାଇଲ୍ ନମ୍ବର, ଠିକଣା ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ଏବଂ ପାନ୍ କାର୍ଡ ଅନ୍ତର୍ଭୁକ୍ତ । ଏହି ପଦକ୍ଷେପ ଏକ କୋଟି ଯୁବକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ, ଯାହା ସେମାନଙ୍କର ବୃତ୍ତିଗତ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Get real time updates directly on you device, subscribe now.