ଏଞ୍ଜିଓପ୍ଲାଷ୍ଟିରେ ଗଲାଣି ୯ ଜୀବନ! PM ଜନ ଆରୋଗ୍ୟ ଅର୍ଥ ହଡପ ପାଇଁ ରୋଗୀଙ୍କ ଜୀବନ ସହ ଖେଳୁଛି ହସ୍ପିଟାଲ!

ଗାନ୍ଧୀନଗର- ସରକାର ଗରିବଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପିଏମ ଜନଆରୋଗ୍ୟ ଯୋଜନାର ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନା ଅର୍ଥ ହଡପ କରିବାକୁ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ସାଜିଛନ୍ତି କଂସେଇ । ଏମିତି ଏକ କଂସେଇଖାନାକୁ ନେଇ ଅଭିଯୋଗ ଆସିଛି ଗୁଜରାଟରୁ । ଗୁଜରାଟରେ ଥିବା ଏକ ଜଣାଶୁଣା ହସ୍ପିଟାଲ ସରକାରୀ ଯୋଜନାରୁ ଫାଇଦା ଉଠାଇବାକୁ ରଚିଛି ଷଡଯନ୍ତ୍ର । ଏହି ଷଡଯନ୍ତ୍ରରେ ଦୁଇଜଣଙ୍କ ଜୀବନ ଯିବା ପରେ ହସ୍ପିଟାଲର କାରନାମା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ମେହସାଣାର ବୋରିସାନା ଗାଁର ଦୁଇ ଜଣ ରୋଗୀ ଗତ ୧୧ ତାରିଖରେ ଏଞ୍ଜିଓପ୍ଲାଷ୍ଟିରେ ମୃତ୍ୟୁବରଣ କରିଛନ୍ତି । ଏହି ମୃତ୍ୟୁ ପରେ ପୋଲିସ ଯାଞ୍ଚରୁ ଜଣାପଡିଛି କି, ଗତ ୧୮ ମାସରେ ଏହି ହସ୍ପିଟାଲରେ ଏମିତି ଆଉ ୩ଟି ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରୁ ଅର୍ଥ ହଡପ କରିବାକୁ ହସ୍ପିଟାଲର ଡାକ୍ତର ରୋଗୀଙ୍କ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି ।

ପୋଲିସ ମୁତାବକ, ଅହମଦାବାଦର ହସ୍ପିଟାଲ ଏକ ମେଡିକାଲ କ୍ୟାମ୍ପ କରିଥିଲା । ୧୮ ବର୍ଷୀୟ ଯୁବକଙ୍କ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ତାଙ୍କୁ ଏଞ୍ଜିଓପ୍ଲାଷ୍ଟି କରିବାର ଆବଶ୍ୟକତା ଥିବା କହିଥିଲେ । ଏହି ଅପରେସନ ବେଳେ ଡାକ୍ତରଙ୍କ ଖାମଖିଆଲ ମନୋଭାବ ପାଇଁ ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହେବା ପରେ ହସ୍ପିଟାଲ ବିରୋଧରେ ଅଭିଯୋଗ ହୋଇଥିଲା ।

ପୋଲିସ ତଦନ୍ତରୁ ପାଇଛି ପିଏମ ଜନଆରୋଗ୍ୟ ଟଙ୍କା ହଡପ କରିବାକୁ ହସ୍ପିଟାଲ ମାଗଣା ହେଲ୍ଥ କ୍ୟାମ୍ପ କରି ସାମାନ୍ୟ ରୋଗରେ ଲୋକଙ୍କୁ ଭୟଙ୍କର ରୋଗ ହୋଇଥିବା କହି ସେମାନଙ୍କ ବିଭିନ୍ନ ଅପରେସନ କରି ମୋଟା ଅଙ୍କ ସରକାରଠାରୁ ନେଉଛନ୍ତି । ହସ୍ପିଟାଲର ଏହି ଟଙ୍କା ହାତେଇବା ନିଶାରେ ରୋଗୀଙ୍କ ଏଞ୍ଜିଓଗ୍ରାଫି କରାଯାଉଛି । ଏହି ଏଞ୍ଜିଓଗ୍ରାଫିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ।