fbpx

ପିଏମ୍ ବିଶ୍ୱକର୍ମା ଯୋଜନାରେ ରହିଛି ଅନେକ ଫାଇଦା, ୧୫,୦୦୦ଟଙ୍କା ସହାୟତା, ଶସ୍ତାରେ ଋଣ ଆହୁରି ଅନେକ କିଛି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶର ପାରମ୍ପାରିକ କାରିଗର ଓ ଶିଳ୍ପୀମାନଙ୍କ ଲାଗି ପିଏମ୍ ବିଶ୍ୱକର୍ମାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଯୋଜନା ଜରିଆରେ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏହି ଯୋଜନା ଅଧୀନରେ ଆସୁଥିବା ବ୍ୟକ୍ତିଙ୍କୁ ୧୫,୦୦୦ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ, ମାତ୍ର ୫ ପ୍ରତିଶତ ସୁଧରେ ୧ ଲକ୍ଷ ଟଙ୍କା ଋଣ (ପ୍ରଥମ କିସ୍ତି) ଏବଂ ଦ୍ୱିତୀୟ କିସ୍ତିରେ ୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ଏହା ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର ଓ ପରିଚୟ ପତ୍ର ମାଧ୍ୟମରେ ବିଶ୍ୱକର୍ମାମାନଙ୍କୁ ମାନ୍ୟତା ପ୍ରଦାନ କରାଯିବ ।

ଏହି ଯୋଜନାରେ ୧୮ ପାରମ୍ପାରିକ ଶିଳ୍ପକୁ ସାମିଲ କରାଯାଇଛି । ଏଥିମଧ୍ୟରେ ବଢେଇ, ଡଙ୍ଗା ନିର୍ମାତା, କମାର, ହାତୁଡି ଓ ଟୁଲ୍ କିଟ୍ ନିର୍ମାତା, ବଣିଆ, ତାଲା କାରିଗର, କୁମ୍ଭାର, ମୋଚୀ, ମୂର୍ତ୍ତିକାର, ରାଜମିସ୍ତ୍ରୀ, କଣ୍ଢେଇ ଓ ଖେଳନା କାରିଗର, ଟୋକେଇ, ଝାଡୁ, ବିଚଣା ତିଆରି କରୁଥିବା କାରିଗର, ଦର୍ଜି, ମାଛଧରା ଜାଲ ବୁଣୁଥିବା କାରିଗର ପ୍ରଭୃତି ସାମିଲ ଅଛନ୍ତି ।
ପିଏମ୍ ବିଶ୍ୱକର୍ମା ଅଫିସିଆଲ ୱେବସାଇଟ ଅନୁଯାୟୀ ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ସେମାନଙ୍କ ଆଧାର, ମୋବାଇଲ ନମ୍ବର, ବ୍ୟାଙ୍କ ଡିଟେଲ ଓ ରାସନକାର୍ଡ ବିବରଣୀ ଦେବାକୁ ହେବ । ଏହିସବୁ ଡକ୍ୟୁମେଣ୍ଟ ଜରିଆରେ ହିଁ ଆପଣ ନିଜ ନାମ ପଞ୍ଜିକରଣ କରାଇପାରିବେ । ଯଦି କୌଣସି ଲାଭାର୍ଥୀଙ୍କ ପାଖରେ ରାସନ କାର୍ଡ ନାହିଁ ତେବେ ସେ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ପ୍ରଦାନ କରିବ ।

ଯଦି ଲାଭାର୍ଥୀଙ୍କ ପାଖରେ ବ୍ୟାଙ୍କ ଖାତା ନାହିଁ ତେବେ ତାଙ୍କୁ ପ୍ରଥମେ ବ୍ୟାଙ୍କରେ ଖାତା ଖୋଲାଇବାକୁ ହେବ । ଏଥିପାଇଁ ଗୋଟିଏ ପରିବାରର ଜଣେ ବ୍ୟକ୍ତି ହିଁ କେବଳ ଆବେଦନ କରିପାରିବ ।
ଲାଭାର୍ଥୀ ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେଲେ କମର୍ସିଆଲ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, କୋଅପରେଟିଭ ବ୍ୟାଙ୍କ, ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନୀ ଠାରୁ ଋଣ ଆଣିପାରିବ । ଏହି ଯୋଜନା ଲାଗି ଯୋଗ୍ୟ ହୋଇଥିଲେ ଲାଭାର୍ଥୀ https://pmvishwakarma.gov.in  କିମ୍ବା ପଞ୍ଜିକୃତ କମନ ସର୍ଭିସ ସେଣ୍ଟର ଜରିଆରେ ଆବେଦନ କରିପାରିବେ ।

Get real time updates directly on you device, subscribe now.