fbpx

ଦେଶର ୩୨୯ଟି ଜିଲ୍ଲାର ୫୦୦ ଆକାଂକ୍ଷୀ ବ୍ଲକ୍‍ ପାଇଁ ସଂକଳ୍ପ ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଂକ୍ଷୀ ବ୍ଲକ୍‍ କାର୍ଯ୍ୟକ୍ରମ ସଂକଳ୍ପ ସପ୍ତାହ ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂକଳ୍ପ ସପ୍ତାହ ଭାବେ ନାମିତ କରାଯାଇଛି । ଏହି କାର୍ଯ୍ୟକ୍ରମ ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକ୍‍ରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବ୍ଲକ୍‍ସ୍ତରରେ ସୁପ୍ରଶାସନ ଯୋଗାଇଦେଇ ନାଗରିକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ।

ଭର୍ଚୁଆଲ୍‍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ସେହି ଲକ୍ଷ୍ୟ କେବଳ ବଡ଼ ବଡ଼ ସହର ଏବଂ ପଛୁଆ ଗ୍ରାମଗୁଡ଼ିକର ଉନ୍ନତି କରିବା ନୁହେଁ; ବରଂ ଦେଶର ୧୪୦ କୋଟି ଲୋକଙ୍କ ସହିତ ଆଗକୁ ବଢ଼ିବା ପରିକଳ୍ପନା ତାଙ୍କ ସରକାରଙ୍କ ଲକ୍ଷ୍ୟ । ସେ ଆହୁରି କହିଛନ୍ତି, ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲା ବର୍ତ୍ତମାନ ପ୍ରେରଣାଦାୟୀ ଜିଲ୍ଲାରେ ପରିଣତ ହୋଇଛି । ଆସନ୍ତା ଏକ ବର୍ଷ ମଧ୍ୟରେ ଆଉ ୧୦୦ଟି ଆକାଂକ୍ଷୀ ଜିଲ୍ଲା ପ୍ରେରଣାଦାୟୀ ଜିଲ୍ଲାରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ସଂକଳ୍ପ ଶପଥ ୫୦୦ଟି ଆକାଂକ୍ଷୀ ଜିଲ୍ଲାରେ ଆସନ୍ତା ୩ ତାରିଖ ମଙ୍ଗଳବାରରୁ ଆରମ୍ଭ ହୋଇ ସପ୍ତାହେ ବ୍ୟାପୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସବୁ ଜିଲ୍ଲାଗୁଡ଼ିକରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ, ସୁପୋଷିତ ପରିବାର, ସ୍ୱଚ୍ଛତା, କୃଷି, ଶିକ୍ଷା ଏବଂ ସମୃଦ୍ଧି ଦିବସ ଉପରେ ପ୍ରତ୍ୟେକ ଦିନ ଗୋଟିଏଲେଖାଏଁ ଉନ୍ନୟନମୂଳକ କାମ ପାଇଁ ଉତ୍ସର୍ଗୀକୃତ ରହିବ । ଆଜିର ସଂକଳ୍ପ ସପ୍ତାହ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‍ରେ ଦେଶର ବିଭିନ୍ନ କୋଣରୁ ୩ ହଜାରରୁ ଅଧିକ ପଞ୍ଚାୟତ ଏବଂ ବ୍ଲକସ୍ତରୀୟ ଜନପ୍ରତିନିଧି ଯୋଗଦେଇଥିଲେ । ଏହା ସହିତ ୨ ଲକ୍ଷରୁ ଅଧିକ ବ୍ଲକ ଏବଂ ପଂଚାୟତସ୍ତରର କର୍ମଚାରୀ, କୃଷକ ଏବଂ ଜନସାଧାରଣ ଯୋଗଦେଇଥିଲେ ।

Get real time updates directly on you device, subscribe now.