fbpx

ସଂସଦରେ ଚାଲିଲା ‘ମୋଦୀ-ଅଦାନୀ ଭାଇ-ଭାଇ’ ନାରା: ବିରୋଧୀଙ୍କୁ କଡ଼ା ଜବାବ ଦେଲେ PM ମୋଦୀ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ପ୍ରସଙ୍ଗକୁ ନେଇ ଗତ ଦୁଇଦିନ ଧରି ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । ଗତ ମଙ୍ଗଳବାର ଦିନ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ପିଏମ୍ ମୋଦୀ ଗତକାଲି ଲୋକସଭାରେ ସମ୍ବୋଧନ ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା । ତେବେ ଆଜି ମୋଦୀ ରାଜ୍ୟସଭାରେ ବିପକ୍ଷଙ୍କୁ ଉଚିତ ଜବାବ ଦେଇଛନ୍ତି ।

ଆଜି ରାଜ୍ୟସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ନେଇ ଚର୍ଚ୍ଚା ଅବସରରେ ମୋଦୀ ବିପକ୍ଷଙ୍କୁ କଡ଼ା ଜବାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ବିରୋଧୀମାନେ ସଂସଦରେ ‘ମୋଦୀ-ଅଦାନୀ ଭାଇ-ଭାଇ’ ନାରା ଲଗାଇଥିଲେ । ମୋଦୀ କହିଥିଲେ, ବିରୋଧୀ ଦଳମାନେ ଏପରି ନାରାବାଜୀ କାହିଁକି କରୁଛନ୍ତି । ଜଣେ କେତେଜଣଙ୍କ ଉପରେ ଭାରି ପଡ଼ୁଛି ତାହା ସାରା ଦେଶବାସୀ ଦେଖୁଛନ୍ତି । ରାଜନୀତିର ଖେଳ ଖେଳୁଥିବା ଲୋକମାନେ ବଞ୍ଚିବାର ରାସ୍ତା ଖୋଜୁଛନ୍ତି । ଦେଶ କାହାର ପରିବାରର ପୈତୃକ ସମ୍ପତ୍ତି ନୁହେଁ ।

ମୁଁ ସମସ୍ତ ବିପକ୍ଷ ସାଂସଦଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନେ ଯେତେ ଅଧିକ କାଦୁଅ ଫୋପାଡ଼ିବେ, ପଦ୍ମ ସେତେ ଆକର୍ଷଣୀୟ ଦେଖାଯିବ । ମୁଁ ବାରମ୍ବାର ନିର୍ବାଚନୀ କ୍ଷେତ୍ରକୁ କାହିଁକି ଗସ୍ତ କରୁଛି ସେନେଇ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଥିଲେ । ମୁଁ ଖଡ଼ଗେଙ୍କୁ କହିବାକୁ ଚାହୁଁଛି ସେ ଦଳିତଙ୍କ ପାଇଁ ସଂସଦରେ କାହିଁକି କାନ୍ଦୁଛନ୍ତି । ପ୍ରତ୍ୟେକ ସରକାର କିଛି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥାନ୍ତି । ମାତ୍ର କେବଳ ଭାବନା ବ୍ୟକ୍ତ କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବନି ।

୬୦ ବର୍ଷ ଧରି କଂଗ୍ରେସ ପରିବାର ଦେଶରେ କେବଳ ଗାତ ପରେ ଗାତ ଖୋଳିଚାଲିଥିଲା । ହୋଇପାରେ ତାହା କଂଗ୍ରେସର ଉଦ୍ଦେଶ୍ୟ ନଥିଲା, ମାତ୍ର ଏଥିପାଇଁ ଦେଶର ୬ ଦଶନ୍ଧି ବର୍ବାଦ ହୋଇଯାଇଥିଲା । ଯେତେବେଳେ ସାରା ବିଶ୍ୱର ଛୋଟ ଛୋଟ ଦେଶ ସଫଳତାର ଶିଖର ଛୁଇଁବାରେ ଲାଗିଥିଲେ, ସେତେବେେଳେ କଂଗ୍ରେସ ଚୁପ୍ ବସି ରହିଥିଲା । ଦେଶର ଜନସାଧାରଣ ବିଭିନ୍ନ ସମସ୍ୟାର ସାମ୍ନା କରୁଥିଲେ । ମାତ୍ର ସେମାନଙ୍କର ସମସ୍ୟାକୁ କଂଗ୍ରେସ ପ୍ରାଥମିକତା ଦେଇନଥିଲା । କଂଗ୍ରେସ କେବେ ବି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଚେଷ୍ଟା କରିନଥିଲା ।

ବିଜେପି ସରକାର କ୍ଷମତାକୁ ଆସିବା ପରେ ଦେଶ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ିଛି । କ୍ଷୁଦ୍ର ଚାଷୀଙ୍କ ଆୟର ବିକାଶ ନେଇ ନୂଆ ନୂଆ ଯୋଜନା ଲାଗୁ କରାଯାଇଛି । ଦେଶରେ ୯୦ ହଜାର ପଞ୍ଜିକୃତ ଷ୍ଟାଟଅପ୍ ଖୋଲାଯାଇଛି । ଇପିଏଫଓରେ ୧ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି । ଆତ୍ମନିର୍ଭର ରୋଜଗାର ଭାରତ ଯୋଜନାରେ ରୋଜଗାରର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ୩୫୦ରୁ ଅଧିକ ନୂଆ କମ୍ପାନୀ ଡିଫେନ୍ସ କ୍ଷେତ୍ରରୁ ଆସିବା ସହ ଏଥିରେ ପାଖାପାଖି ୧ ଲକ୍ଷ କୋଟିରୁ ଅଧିକ ଅର୍ଥ ନିବେଶ କରାଯାଇଛି । ଦେଶରେ ୬୦୦ରୁ ଅଧିକ ସରକାରୀ ଯୋଜନା ଗାନ୍ଧି-ନେହରୁ ପରିବାର ନାମରେ ରହିଛି ।

ଡିଜିଟାଲ ନେଣଦେଣ କ୍ଷେତ୍ରରେ ଆଜି ହିନ୍ଦୁସ୍ତାନ ସାରା ବିଶ୍ୱର ନେତୃତ୍ୱ ନେଉଛି । ୧୦୦ କୋଟିରୁ ଅଧିକ ମୋବାଇଲ ଆଜି ଦେଶର ନାଗରିକଙ୍କ ପାଖରେ ମହଜୁଦ ରହିଛି । ଦେଶର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନକୁ ଆଜି ସାରା ବିଶ୍ୱରେ ସ୍ୱୀକୃତି ମିଳିଛି । ବିରୋଧୀମାନେ ବିଜ୍ଞାନ ଓ ଟେକ୍ନୋଲୋଜିକୁ ବିରୋଧ କରୁଛନ୍ତି । ସେମାନେ ଆମର ବୈଜ୍ଞାନିକଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି । ସେମାନେ ଦେଶର କଥା ଚିନ୍ତା କରିବା ବଦଳରେ କେବଳ ନିଜର ରାଜନୀତି କଥା ଚିନ୍ତା କରୁଛନ୍ତି ।

Get real time updates directly on you device, subscribe now.