fbpx

ବିକଶିତ ଭାରତ ସଂକଳ୍ପଯାତ୍ରାର ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଭାବବିନିମୟ କଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲା ଏବଂ ମହାନଗର ନିଗମ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦେଶବ୍ୟାପୀ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠା ପଞ୍ଚାୟତରେ ଅନୁଷ୍ଠିତ ବିକଶିତ ଭାରତ ସଂକଳ୍ପଯାତ୍ରା କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ନୟାଗଡ଼ ବ୍ଲକର ଭାଲିଆଡିହ, ଗୋଳଗାଁ, ଶରଧାପୁର, ଗଧାରପ୍ରସାଦ, ସିନ୍ଦୁରିଆ ଏବଂ ଘଡ଼ୁଆଳ ପଞ୍ଚାୟତରେ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ଅଙ୍ଗନାବାଡି କର୍ମୀ, ଆଶା ଦିଦି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଗଣ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଫସଲ ବୀମା, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ଆୟୁଷ୍ମାନ ଭାରତ, ଉଜ୍ଜ୍ୱଳା ଓ ପ୍ରଧାନମନ୍ତ୍ରୀ ଆବାସ ଭଳି ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ମାନି ଗାଁ, ପାତ୍ରୀ ପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସଂକଳ୍ପଯାତ୍ରା ଭ୍ୟାନକୁ ସ୍ଥାନୀୟ ସରପଞ୍ଚ ଓ ମହିଳାମାନେ ନୃତ୍ୟଗୀତ ବାଦ୍ୟ ସହ ସ୍ୱାଗତ କରିଥିଲେ । ବିକଶିତ ରଥରେ ଥିବା ଏଲ.ଇ.ଡି ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଚେତନ ଧର୍ମୀ କ୍ଷୁଦ୍ର ଚଳଚିତ୍ରମାନ ପ୍ରଦର୍ଶିତ ହୋଇଥିଲା । ସମସ୍ତେ ବିକଶିତ ଭାରତର ସଂକଳ୍ପ ପାଇଁ ଶପଥ ପାଠ କରିଥିଲେ ।

Get real time updates directly on you device, subscribe now.