Delhi Election BJP celebrations: ପିଏମ ମୋଦୀ କହିଲେ- ‘ମୋଦୀଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି’

ଦିଲ୍ଲୀ କେବଳ ଏକ ସହର ନୁହେଁ, ଏହା ମିନି ଇଣ୍ଡିଆ- ପିଏମ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ୨ ବର୍ଷ ପରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିବାକୁ ଯାଉଛି। ଲଗାତାର ତୃତୀୟ ଥର ଆସନ ସମ୍ଭାଳୁଥିବା ଆପ ଏଥର ନିର୍ବାଚନରେ ବହୁମତର ଅନେକ ପଛରେ ଅଛନ୍ତି। ବିଜେପି ୭୦ ସିଟରୁ ୪୮ଟି ହାସଲ କରିଛି।

ଶନିବାର ନିର୍ବାଚନ ଫଳାଫଳ ପରେ ପିଏମ ମୋଦୀ ବିଜେପି ହେଡକ୍ୱାଟରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜୋରସୋରରେ ସ୍ୱାଗତ କରାଯାଇଛି। ପିଏମ ମୋଦୀ ଏହି ବିଜୟ ପାଇଁ ପାର୍ଟୀର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆପ୍‌-ଦାରୁ ମୁକ୍ତ ହେଲା ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ, ଶେଷରେ ଆପ୍‌-ଦାରୁ ମୁକ୍ତ ହେଲା ଦିଲ୍ଲୀ। ଦିଲ୍ଲୀବାସୀଙ୍କ ଏହି ବିଶ୍ୱାସ ଆମ ଉପରେ ଋଣ। ଦ୍ରୁତଗତିରେ ଦିଲ୍ଲୀର ବିକାଶ କରି ଆମେ ଏହି ଋଣ ସୁଝିବୁ। ଗୋଟିଏ ଦଶକର ଆପଦାରୁ ମୁକ୍ତ ହେଲା ଦିଲ୍ଲୀ।

ଆଜି ଦିଲ୍ଲୀରେ ବିକାଶ, ଭିଜନ ବିଶ୍ୱାସର ବିଜୟ ହୋଇଛି। ଅଡମ୍ବର, ଅରାଜକତା, ଅହଂକାର ପାଇଁ ଆପଦା ପରାସ୍ତ ହୋଇଛି। ଦିଲ୍ଲୀବାସୀ ସ୍ପଷ୍ଟ କରିଦେଲେ ଦିଲ୍ଲୀର ପ୍ରକୃତ ମାଲିକ କେବଳ ଜନତା। ସର୍ଟକଟ୍ ରାଜନୀତିକୁ ଦିଲ୍ଲୀବାସୀ ସର୍ଟ ସର୍କିଟ କରିଦେଲେ।

ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀ କେବେ ନିରାଶ କରିନାହାନ୍ତି। ୩ଥର ଲୋକସଭା ନିର୍ବାଚନରେ ଶତ ପ୍ରତିଶତ ବିଜୟ ଆମକୁ ମିଳିଥିଲା। ଦିଲ୍ଲୀର ଯୁବର୍ବ ପ୍ରଥମ ଥର ବିଜେପିର ସୁଶାସନ ଦେଖିବ।

“ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ”: ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ କେବଳ ଏକ ସହର ନୁହେଁ, ଏହା ମିନି ଇଣ୍ଡିଆ। ବିବିଧତା ଥିବା ଦିଲ୍ଲୀରେ ଆମକୁ ପ୍ରଚଣ୍ଡ ବହୁମତ ମିଳିଛି।

ବିଶେଷ ଭାବେ ପୂର୍ବାଞ୍ଚଳ ଲୋକଙ୍କୁ କୃତଜ୍ଞତା ଜଣାଉଛି। ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ନୀତିକୁ ଲୋକେ ବାଛିଛନ୍ତି। ଧାରଣା ରାଜନୀତି ଦ୍ୱାରା ଏଠିକାର ବିକାଶ ବାଧାପ୍ରାପ୍ତ ହୋଇଛି। ବିକାଶରେ ବାଧା ସୃଷ୍ଟି କରୁଥିବା ଆପଦାକୁ ଜନତା ହଟାଇଲେ। ପୂରା ଦେଶ ଜାଣିଛି ଯେଉଁଠି ଏନଡିଏ, ସେଠାରେ ସୁଶାସନ।

ସୁଶାସନର ଲାଭ ମଧ୍ୟବିତ୍ତ ଓ ଗରିବଙ୍କୁ ମିଳିଥାଏ। ଆମ ଦଳ ସବୁବେଳେ ମଧ୍ୟବିତ୍ତଙ୍କୁ ଗୁରୁତ୍ୱ ଦେଇଥାଏ। ଦେଶର ନାରୀଶକ୍ତି ଆମର ସବୁଠୁ ବଡ଼ ରକ୍ଷା କବଚ। ମହିଳାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତ ପୂରଣ ହେବ। ମୋଦୀଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି।

ଦିଲ୍ଲୀକୁ ଏକ ଆଧୁନିକ ସହର କରିବୁ। ଆଜି ଦେଶ ସହରୀକରଣ ମୁହାଁ। ଗରିବ, ମଧ୍ୟବିତ୍ତଙ୍କୁ ସଶକ୍ତ କରିବାକୁ ଏହା ଏକ ମାଧ୍ୟମ। ଦିଲ୍ଲୀବାସୀଙ୍କ ଆଙ୍କାକ୍ଷା ପୂରଣ କରିବାରେ ଲାଗିପଡିବୁ।