ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଶେଷରେ ମିଳିଛି ସଫଳତା । ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଗତକାଲି ରାତିରେ ଉଦ୍ଧାର କରାଯାଇଛି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମିକଙ୍କ ସହ କଥାହୋଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇ ଟନେଲରୁ ବାହାରିବା ପରେ ଶ୍ରମିକମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କୁ ଟନେଲରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ଟନେଲରୁ ବାହାରିବା ପରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟସେବା, ଘର ଏବଂ ପରିବାର ଇତ୍ୟାଦି ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ତାହା ମୁଖ୍ୟମନ୍ତ୍ରୀଙ୍କଠାରୁ ବୁଝିଛନ୍ତି। ତେବେ ଟନେଲରୁ ବାହାର କରାଯିବା ପରେ ସମସ୍ତ ଶ୍ରମିକଙ୍କୁ ସିଧାସଳଖ ଚିନ୍ୟାଲିସୌଡ଼ ଡାକ୍ତରଖାନା ନିଆଯାଇ ସେମାନଙ୍କର ଆବଶ୍ୟକ ଚିକିତ୍ସା ଏବଂ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଧାମି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ଏଥି ସହ ଶ୍ରମିକମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସେଠାକୁ ନିଆଯାଇଛି ଯେଉଁଠାରୁ ରାଜ୍ୟ ସରକାର ସେମାନଙ୍କ ସୁବିଧା ଅନୁଯାୟୀ ରହିବା ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ କରିବେ ବୋଲି କହିଛନ୍ତି ।
ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ଧାର କାର୍ଯ୍ୟ ସହ ଜଡିତ ସମସ୍ତ ଲୋକଙ୍କ ଅଭିବାଦନ ଜଣାଇ ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ସୁରକ୍ଷିତ ବାହାରକୁ ଆସିବା ଏବଂ ଉଦ୍ଧାର କାର୍ଯ୍ୟର ସଫଳତାକୁ ଏକ ଭାବପ୍ରବଣତା ବୋଲି ବର୍ଣ୍ଣନା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଏ ନେଇ ଗତକାଲି ସୋସିଆଳ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ପୋଷ୍ଟ ମଧ୍ୟ କରିଥିଲେ ।
ପ୍ରଧାନମନ୍ତ୍ରୀ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି, “ଉତ୍ତରପ୍ରଦେଶରେ ଆମର ଶ୍ରମିକ ଭାଇମାନଙ୍କ ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିଛି। ଟନେଲରେ ଫସି ରହିଥିବା ବନ୍ଧୁମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି ।” ଏହା ସହିତ ଉଦ୍ଧାରକାରୀ ଦଳକୁ ମଧ୍ୟ ପ୍ରଧାନମନ୍ତ୍ରୀ ବେଶ ପ୍ରଶଂସା କରିଛନ୍ତି । ସେମାନଙ୍କର ସାହସିକତା ଏବଂ ଧୈର୍ଯ୍ୟ ଶ୍ରମିକମାନଙ୍କୁ ନୂତନ ଜୀବନ ଦେଇଥିବା ସେ କହିଛନ୍ତି। ଏଥି ସହିତ ଏତେ ଦିନ ପରେ ଶ୍ରମିକମାନେ ନିଜ ପରିବାରଲୋକଙ୍କୁ ଭେଟିବା ନେଇ ପ୍ରଧାନମନ୍ତ୍ରୀ ନିଜର ଖୁସି ପ୍ରକଟ କରିଛନ୍ତି ।