fbpx

(Video) ଯେସାକୁ ତେସା: ହେଲମେଟ୍ ନପିନ୍ଧିବାରୁ ପୋଲିସ କାଟିଲା ଚାଲାଣ, ରାଗରେ ଲାଇନମ୍ୟାନ୍ କାଟିଦେଲା ଥାନାର ଲାଇଟ୍

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଳାଇବା ବେଳେ ଯଦି ଆପଣ କୌଣସି ବି ନିୟମ ଭାଙ୍ଗନ୍ତି, ତେବେ ଚାଲାଣ କାଟିବାକୁ ପଛାନ୍ତି ନାହିଁ ଟ୍ରାଫିକ୍ ପୋଲିସ । ଅବଶ୍ୟ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଟ୍ରାଫିକ୍ ପୋଲିସ କନଷ୍ଟେବଳ ଜଣେ ଲାଇନମ୍ୟାନଙ୍କର ଚାଲାଣ କାଟିଥିଲେ ଓ ୬୦୦୦ ଟଙ୍କା ଜୋରିମାନା ଲଗାଇଥିଲେ । ଏହି ଜୋରିମାନା ତାଙ୍କ ମାସିକ ଦରମାଠାରୁ ବି ଅଧିକ ଥିଲା ।

ଲାଇନମ୍ୟାନ୍ ଟ୍ରାଫିକ୍ ପୋଲିସ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ, କିନ୍ତୁ ସେ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏହା ପରେ ଯାହା ହେଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।ରାଗରେ ତମ ତମ ହୋଇ ଲାଇନମ୍ୟାନ୍ ପୋଲିସ ଷ୍ଟେସନର ଲାଇଟ୍ କାଟିଦେଇଥିଲେ ।

ମିଡିଆ ରିପୋର୍ଟ ଅନୁସାରେ, କଣ୍ଟ୍ରାକ୍ଟରେ କାମ କରୁଥିବା ଜଣେ ଲାଇନମ୍ୟାନ୍ ବାଇକ୍ ଚଳାଇବା ସମୟରେ ହେଲମେଟ୍ ପିନ୍ଧିନଥିଲେ । ଏହାକୁ ନେଇ ପୋଲିସ ତାଙ୍କ ଉପରେ ୬୦୦୦ ଟଙ୍କାର ଜୋରିମାନା ଲଗାଇଥିଲା । ଏଥିରେ ରାଗିଯାଇ ଲାଇନମ୍ୟାନ୍ ପୋଲିସ ଷ୍ଟେସନର ଲାଇଟ ହିଁ କାଟିଦେଇଥିଲେ । ଏହି ଘଟଣା ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଶାମଲୀ ଜିଲ୍ଲାରେ ଦେଖିବାକୁ ମିଳିଥିଲା ।

ଲାଇନମ୍ୟାନ୍ ମୋହମ୍ମଦ ମେହତାବ କହିଥିଲେ ଯେ, ‘ମୋର ମାସିକ ଦରମା ୫୦୦୦ ଟଙ୍କା ହୋଇଥିବା ବେଳେ ପୋଲିସର ମୋର ୬୦୦୦ ଟଙ୍କା ଚାଲାଣ କାଟିଛି । ମୋତେ କ୍ଷମା କରିବାକୁ ମୁଁ ପୋଲିସ ଅଧିକାରୀଙ୍କୁ ଅନୁରୋଧ କରିଥିଲି । କିନ୍ତୁ ସେମାନେ ମୋ ଉପରେ କୌଣସି ଦୟା ଦେଖାଇ ନଥିଲେ ଓ ମୋର ଚାଲାଣ କାଟି ଦେଇଥିଲେ ।’

ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ, ପୋଲିସ୍ ଷ୍ଟେସନରେ ୫୫ ହଜାରରୁ ଅଧିକ ବକେୟା ରହିଥିଲା, ଯେଉଁ କାରଣରୁ ଏହି କନେକ୍ସନ କଟାଯାଇଥିଲା । ପାୱାର କମ୍ପାନୀ ପିଭିଭିଏନଏଲ ର ଜଣେ ଅଧିକାରୀ କହିଛନ୍ତି, ‘ଲାଇନରେ କିଛି ତ୍ରୁଟି ରହିଥିଲା, ଯେଉଁଥିପାଇଁ ଯୋଗାଣ ବନ୍ଦ ହୋଇଯାଇଥିଲା ।’ ଅବଶ୍ୟ ଏହି ଘଟଣାରେ ଖାସ୍ କଥା ହେଉଛି କି, ୫୦୦୦ ଟଙ୍କା ଦରମାରେ କାମ କରୁଥିବା ବ୍ୟକ୍ତି କିପରି ୬୦୦୦ ଟଙ୍କାର ଜୋରିମାନା ଭରିବ ବୋଲି ପୂରଣ କରିବ ।

 

Get real time updates directly on you device, subscribe now.