fbpx

‘ଅଗ୍ନିପଥ’ ଉପରେ ରୋକ୍ ଲଗାଇବାକୁ ମନା କଲେ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ ଜବାବ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଅଗ୍ନିପଥକୁ ନେଇ ଶୁଣାଣି କରିଛନ୍ତି। କୋର୍ଟ ଯୋଜନା ଉପରେ ତତ୍କାଳ ରୋକ୍ ଲଗାଇବାକୁ ମନାକ କରିଛନ୍ତି। ଏଥିସହ ଯୋଜନାକୁ ଚ୍ୟାଲେଞ୍ଜ କରି ଦାଖଲ ଯାଚିକା ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କ ପୀଠ କହିଛନ୍ତି, ଅନ୍ତରୀଣ ଆଦେଶ ପାରିତ କରିବା ପରିବର୍ତ୍ତେ ମାମଲାର ଶୁଣାଣି କରାଯିବ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ଵର‌୍ୟ୍ୟା ଭାଟି ହାଇକୋର୍ଟକୁ କହିଛନ୍ତି, ସେ ସମସ୍ତ ଯାଚିକା ଉପରେ ଗୋଟିଏ ଜବାବ ଦାଖଲ କରିବେ। ଏହା ଉପରେ ଅଦାଲତ କହିଛନ୍ତି, ତିନି ସେନାରେ ନିଯୁକ୍ତି ବିରୋଧରେ ଅଲଗା ଅଲଗା ଯାଚିକା ଦାଖଲ କରାଯାଇଛି। ଏଥିପାଇଁ ସରକାରଙ୍କ ତରଫରୁ ବିସ୍ତୃତ ରିପୋର୍ଟ ମିଳିବା ଉଚିତ୍।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜୁନ ୧୪ରେ ଅଗ୍ନିପଥ ଯୋଜନାର ଘୋଷଣା କରିଥିଲେ। ଏହାରି ଆଧାରରେ ୧୭ରୁ ୨୧ ବର୍ଷ ବୟସର ଯୁବ ବର୍ଗ ଅଗ୍ନିବୀର ହେବା ପାଇଁ ଆବେଦନ କରି ପାରିବେ। ଅଗ୍ନିବୀର ହିସାବରେ ସେନାରେ ସେମାନଙ୍କୁ ଚାରି ବର୍ଷ କାମ କରିବାର ସୁଯୋଗ ମିଳିବ। ଚାରି ବର୍ଷ ପରେ ୭୫ ପ୍ରତିଶତ ଯବାନଙ୍କୁ ଅପସାରଣ କରାଯିବ ଏବଂ ବାକି ୨୫ ପ୍ରତିଶତଙ୍କୁ ଯୋଗ୍ୟତ, କ୍ଷମତା ଏବଂ ଦକ୍ଷତା ଆଧାରରେ ୧୫ ବର୍ଷ କିମ୍ବା ଅଧିକ ସମୟ ପର‌୍ୟ୍ୟନ୍ତ ସେନାରେ ନିଯୁକ୍ତି ଦିଆଯିବ। ଏହି ଯୋଜନାର ଘୋଷଣା ପରେ ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ବିହାର ଏବଂ ଉତ୍ତର ପ୍ରଦେଶରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିଲା।

ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଆବେଦନକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ। ସମସ୍ତ ପ୍ରକାରର ବିରୋଧ ସତ୍ଵେ କେନ୍ଦ୍ର ସରକାର ପଛକୁ ହଟିନଥିଲେ। ଏହି ଯୋଜନା ଆଗକୁ ଜାରି ରହିବ ବୋଲି ସ୍ପଷ୍ଟ କରିଥିଲେ।

Get real time updates directly on you device, subscribe now.