fbpx

ଭଲ ଲୋକକୁ ଛାଡ଼ି କ୍ରିମିନାଲକୁ କ’ଣ ପାଇଁ ଟିକେଟ୍ ଦେଉଛ, ତାହାର କାରଣ ସ୍ପଷ୍ଟ କର: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ତା’ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଇସିଙ୍କ ଏହି ନିର୍ଦ୍ଦେଶ ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକପ୍ରକାର ଭାଳେଣି ପଡ଼ିଯାଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ଅପରାଧିକ ମାମଲା ଥିବା ଲୋକଙ୍କୁ ନିର୍ବାଚନରେ କ’ଣ ପ୍ରାର୍ଥୀ କରାଯାଉଛି ତାହା ସମ୍ପୃକ୍ତ ରାଜନୈତିକ ଦଳମାନେ ସ୍ପଷ୍ଟ କରିବେ । ଏଥିସହ ଦଳର ୱେବସାଇଟରେ ଉକ୍ତ କ୍ରିମିନାଲ ପ୍ରାର୍ଥୀଙ୍କ ବିବରଣୀ ଅପଲୋଡ୍ କରିବା ବାଧ୍ୟତାମୂଳକ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ଇସିଙ୍କ ପକ୍ଷରୁ ପୁଣି କୁହାଯାଇଛି ଯେ, ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀଙ୍କୁ ଘୋଷଣା କରିବାର ୭୨ ଘଣ୍ଟା ମଧ୍ୟରେ ଏକ ଅନୁପାଳନ ରିପୋର୍ଟ ଜମା କରିବାକୁ ପଡ଼ିବ । ଯଦି କୌଣସି ଦଳ ଏହାକୁ ଅବମାନନା କରେ, ତେବେ ତାହା ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ବିଚାର କରାଯିବ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉପରୋକ୍ତ ସମସ୍ତ ନିର୍ଦ୍ଦେଶନାମା ରାଜନୈତିକ ଦଳଗୁଡ଼ିକୁ ଦିଆଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳ ଅପରାଧିକ ଶ୍ରେଣୀର ପ୍ରାର୍ଥୀଙ୍କ ସମସ୍ତ ତଥ୍ୟ ୱେବସାଇଟରେ ଅପଲୋଡ୍ କରିବା ବାଧ୍ୟତାମୂଳକ । ଏପରି ସ୍ଥିତିରେ ଉକ୍ତ ପ୍ରାର୍ଥୀଙ୍କ ଅପରାଧିକ ବିବରଣୀ, ପ୍ରାର୍ଥୀ କରିବା ପଛର କାରଣ ଆଦି ଉଲ୍ଲେଖ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ତେବେ ଆଗକୁ ଆସୁଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ଏହି ନିର୍ଦ୍ଦେଶନାମା କାର୍ଯ୍ୟ କରିବ । ଏହି ସମୟରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିବ ।

Get real time updates directly on you device, subscribe now.