ସୁପ୍ରିମକୋର୍ଟଙ୍କ ବାଣ ବ୍ୟାନ୍ ଆଦେଶକୁ ଲୋକଙ୍କ ‘ଫୁ’, ଦିଲ୍ଲୀ-ଏନସିଆରରେ ଜୋରଦାର ଫୁଟିଲା ବାଣ: ପୁଣି ବିଷାକ୍ତ ହୋଇଗଲା ବାୟୁ
ନୂଆଦିଲ୍ଲୀ: ଦୀପାବଳିରେ ବାଣ ଉପରେ ନିଷେଧାଦେଶ ସତ୍ତେ୍ୱ ରାଜଧାନୀ ଦିଲ୍ଲୀ ଏନସିଆରରେ ବହୁ ସଂଖ୍ୟାରେ ବାଣ ଫୁଟିଥିଲା । ରବିବାର ଦୀପାବଳି ଦିନ ସକାଳୁ ଅନେକ ଅଞ୍ଚଳରେ ବାଣ ଫୁଟିବା ଆରମ୍ଭ ହୋଇଥିଲା, ଯାହା ସନ୍ଧ୍ୟା ପାଖେଇ ଆସୁଥିବାରୁ ଏହା ଅଧିକ ପରିମାଣରେ ବୃଦ୍ଧି ପାଇଥିଲା । ରାଜଧାନୀର କମୋବେଶ ହରେକ ଅଞ୍ଚଳ ସମେତ ଏନସିଆରର ସବୁଆଡେ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ କିଛି ସେକେଣ୍ଡ ବ୍ୟବଧାନରେ ୯୦ ଡେସିବଲ ଧ୍ୱନୀ ସୀମା ଅତିକ୍ରମ କରୁ ବାଣ ଶବ୍ଦ ଶୁଣାଯାଉଥିଲା ।
ଏହି କାରଣରୁ ପ୍ରଦୂଷଣ ମଧ୍ୟ ସାଧାରଣ ଅପେକ୍ଷା ଅନେକ ଗୁଣ ବୃଦ୍ଧି ପାଇଛି । ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ସୋମବାର (ନଭେମ୍ବର ୧୩) ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୯୬ ଥିଲା, ଯାହା ସାଧାରଣ ଅପେକ୍ଷା ପ୍ରାୟ ୬ ଗୁଣ ଅଧିକ ।
ସମଗ୍ର ଦେଶ ସହିତ ରାଜଧାନୀ ଦିଲ୍ଲୀରେ ମଧ୍ୟ ଉତ୍ସାହର ସହିତ ଦୀପାବଳି ପର୍ବ ପାଳନ କରାଯାଇଛି । ରବିବାର (ନଭେମ୍ବର ୧୨) ସନ୍ଧ୍ୟାରେ ଦେଶର ରାଜଧାନୀ ଝଲସି ଉଠୁଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକ ନିଜ ନିଜ ଅଞ୍ଚଳର ପାର୍କରେ ଏକାଠି ହୋଇ ବାଣ ଫୁଟାଉଥିବା ଦେଖିବାକୁ ମିଳିଥିଲା ।
ତେବେ ସୁପ୍ରିମକୋର୍ଟ ନଭେମ୍ବର ୭ ରେ କହିଥିଲେ ଯେ, ବାରିୟମ୍ ଯୁକ୍ତି ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରତ୍ୟେକ ରାଜ୍ୟ ପାଇଁ ଲାଗୁ ହୋଇଛି । ବାୟୁ ପ୍ରଦୂଷଣ ସହ ସଂଘର୍ଷ କରୁଥିବା ଦିଲ୍ଲୀ ଏନସିଆର ପାଇଁ ମଧ୍ୟ ରାଜଧାନୀରେ ବାଣ ଫୁଟାଇବାର ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ । କିନ୍ତୁ ଲୋକମାନେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଫୁ’ କରି ଉଡାଇଦେଇଛନ୍ତି ।