fbpx

ଜମାକାରୀଙ୍କ ୨୦ ଲକ୍ଷ ହେଲା ଆତ୍ମସାତ୍ କଲେ ପୋଷ୍ଟ ମାଷ୍ଟର, ଡାକଘରେ ବି ସୁରକ୍ଷିତ ନୁହେଁ ଟଙ୍କା

ଜଗତସିଂହପୁର(ଓଡ଼ିଶା ଭାସ୍କର): ଡାକଘରେ ବି ସୁରକ୍ଷିତ ନୁହେଁ ଆପଣଙ୍କ କଷ୍ଟୋପାର୍ଜିତ ଟଙ୍କା । କିଛି ଜମାକାରୀଙ୍କ ୨୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଛନ୍ତି ଜଣେ ପୋଷ୍ଟ ମାଷ୍ଟର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ୧୫ ଦିନ ତଳୁ ଏହାକୁ ଚପାଇ ରଖାଯାଇଥିଲା । ଏହାଛଡ଼ା ଭାରପ୍ରାପ୍ତ ପୋଷ୍ଟ ମାଷ୍ଟରଙ୍କୁ ଅନ୍ୟତ୍ର ବଦଳି କରାଇ ଦିଆଯିବାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ତେବେ ସଞ୍ଚିତ ଜମା ଖାତାରେ ଟଙ୍କା ନଥିବା ସହ ପୋଷ୍ଟ ମାଷ୍ଟରଙ୍କ ଫୋନ୍ ସ୍ୱିଚ୍ ଅଫ୍ ରହୁଥିବାରୁ ଅନ୍ୟ ଉପାୟ ନପାଇ ଜମାକାରୀମାନେ ଧାରଣା ଦେବେ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି ।

ତେବେ ଏହି ପୋଷ୍ଟ ମାଷ୍ଟର ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ସମଙ୍ଗ ଜଇନାବାଜ ଗ୍ରାମର ବିବେକାନନ୍ଦ ସ୍ୱାଇଁ । ନିତ୍ୟାନନ୍ଦ ବେହେରା ନାମକ ଜଣେ ଦିବ୍ୟାଙ୍ଗଙ୍କଠାରୁ ୧୮ ହଜାର ନେଇ ବିବେକାନନ୍ଦ ଲୁଟିଛନ୍ତି । ୮୪ ବର୍ଷୀୟ ଜଣେ ବୃଦ୍ଧ ୧୫ ବର୍ଷ ତଳୁ ଟଙ୍କା ଜମା କରିଆସୁଥିଲେ ମଧ୍ୟ ତାଙ୍କୁ ବିବେକାନନ୍ଦ ଜମାଖାତା ପ୍ରଦାନ କରିନଥିଲେ । ସେହିପରି ୧୫ ବର୍ଷ ତଳୁ ଜମା କରିଆସୁଥିବା ୪୨ ବର୍ଷୀୟା ମନୋରମା ଦାସଙ୍କ ଫିକ୍ସଡ ଡିପୋଜିଟର ମଧ୍ୟ ହିସାବ ମିଳୁନାହିଁ । ଅନେକ ଲୋକଙ୍କୁ ଜମାଖାତା ନଦେଇ ବିଭିନ୍ନ ଆଳ ଦେଖାଇ ସେ ଠକି ଆସୁଥିଲେ । ଲୋକମାନେ ବିଶ୍ୱାସରେ ବିବେକାନନ୍ଦଙ୍କୁ ଟଙ୍କା ଜମା କରିବାକୁ ଦେଇଆସୁଥିଲେ ବୋଲି ପ୍ରକାଶ କରିଛନ୍ତି । ସୁକନ୍ୟା ଯୋଜନା, ଫିକ୍ସଡ ଡିପୋଜିଟ୍ କରିବାକୁ ନେଇ ସେ ଅନେକ ଜମାକାରୀଙ୍କ ଅର୍ଥ ହଡ଼ପ କରି ଧରାପଡ଼ିବା ପୂର୍ବରୁ ଖସି ଯାଇଛନ୍ତି । ତେବେ ଯୋଗାଯୋଗ ଅଭାବରୁ ମୁଖ୍ୟ ଡାକଘରର କର୍ତ୍ତୃପକ୍ଷ କିମ୍ବା ପୋଷ୍ଟ ମାଷ୍ଟର ବିବେକାନନ୍ଦଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.