fbpx

୨୦୨୦ରେ ସୀମା ପାର୍ କରିଛି ଦାରିଦ୍ର୍ୟ, ଅସମୟରେ ବେରୋଜଗାର ହୋଇଯାଇଛନ୍ତି ଅନେକ ଲୋକ

ନୂଆଦିଲ୍ଲୀ, ୨୩ା୪ : କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୁପ ନେବାକୁ ଲାଗିଥିବା ବେଳେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଛି । ଭୁତାଣୁର ପ୍ରଥମ ଲହର ଆରମ୍ଭ ହେବା ପରଠାରୁ ହିଁ ଭାରତୀୟ ମାନେ ବେକାରୀ ସମସ୍ୟା ଭିତରକୁ ଠେଲି ହୋଇଯାଇଛନ୍ତି । ଗତ ବର୍ଷ ଲକଡାଉନ୍ ଏବଂ ସଟଡାଉନ୍ ହେବା କାରଣରୁ ଅନେକଙ୍କ ଜୀବନ ଜୀବିକା ଚାଲିଯାଇଥିଲା । ୨୦୧୧ ରୁ ୨୦୧୯ ମଧ୍ୟରେ ଭାରତ ଦାରିଦ୍ର୍ୟକୁ ଖୁବ୍ ଭଲ ଭାବରେ ମୁକାବିଲା କରି ଏଡାଇପାରିଥିଲା । ହେଲେ ୨୦୨୦ରେ କରୋନା ମହାମାରୀ ପାଇଁ ପୁଣି ଥରେ ଲୋକେ ଦାରିଦ୍ର୍ୟ କ୍ଷେତ୍ରକୁ ଚାଲିଯାଇଥିଲେ । ନିକଟରେ ହୋଇଥିବା ଅଧ୍ୟୟନରୁ ଏହି କଥା ସାମନାକୁ ଆସିଛି । କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବା ପରେ ଦେଶରେ ଦାରିଦ୍ର୍ୟ ଦ୍ୱିଗୁଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ଭାରତର ଅଧିକାଂଶ ଲୋକଙ୍କ ରୋଜଗାର ସ୍ତର ଖୁବ୍ ଦ୍ରୁତ ଗତିରେ ଖସିଆସିଛି ବୋଲି ବିଶ୍ୱ ବ୍ୟାଙ୍କ ଆକଳନ ରୁ ଜଣାପଡିଛି ଏବଂ ଏହାକୁ ଆଧାର କରି ପିଉ ଗବେଷଣା କେନ୍ଦ୍ର ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା, ମହାମାରୀ ପରେ ଗରିବ ମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ବେଳେ ମଧ୍ୟବିତ୍ତ ମାନେ ଅଚାନକ ଗରିବ ଶ୍ରେଣୀକୁ ଆସିଯାଇଛନ୍ତି । ଅର୍ଥାତ୍ ଦେଶରେ ବର୍ତ୍ତମାନ ଗରିବଙ୍କ ହାର ଧନୀଙ୍କ ତୁଳନାରେ ସବୁଠାରୁ ଅଧିକ ରହିଛି । ଏଥିସହ ଜିଡିପି ଅଭିବୃଦ୍ଧି ହାର ମଧ୍ୟ ବେଶ୍ କମିଛି । ସେହିପରି ଶିଳ୍ପକ୍ଷେତ୍ରରେ ମାତ୍ରାଧିକ କ୍ଷତି ହୋଇଥିବାରୁ ଅନେକ ଲୋକଙ୍କ ଚାକିରୀ ଅସମୟରେ ଚାଲି ଯାଇଛି ।

ଆକଳନ ଅନୁସାରେ, ଦେଶରେ ଦୈନିକ ୧୫୦ ଟଙ୍କାରୁ କମ୍ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ୬ କୋଟିରୁ ୧୩.୪ କୋଟିକୁ ବୃଦ୍ଧି ଘଟିଛି । ଏଥିସହିତ ଗତ ବର୍ଷ ତୁଳନାରେ ୭.୫ କୋଟିକୁ ବୃଦ୍ଧି ପାଇଛି ଗରିବଙ୍କ ସଂଖ୍ୟା । ଅପରପକ୍ଷରେ ମଧ୍ୟବିତ୍ତଙ୍କ ସଂଖ୍ୟା ମହାମାରୀ ପୁର୍ବରୁ ୯.୯ କୋଟି ଥିବା ବେଳେ ତାହା ୬.୬ କୋଟିକୁ କମି ଆସିଛି । ଏନେଇ ପିଉ ଗବେଷଣା କେନ୍ଦ୍ର କରୁଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଆଗକୁ ପରିସ୍ଥିତି ଆହୁରୀ ଜଟିଳ ହେବାକୁ ଯାଉଛି । ୨୦୨୦ ମସିହାରେ ଯେଉଁଭଳି ଭାବେ କରୋନା ମହାମାରୀ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିଲା ଠିକ୍ ସେହିପରି ଯଦି ୨୦୨୧ ଅର୍ଥାତ୍ ଚଳିତ ବର୍ଷ ହୁଏ ତେବେ ଦେଶ ଦାରିଦ୍ର୍ୟ ସୀମା ରେଖା ତଳକୁ ଖୁବ୍ ଶୀଘ୍ର ଚାଲିଯିବ । ଏହାକୁ ଲକ୍ଷ୍ୟ କରି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ଯେ, ଯଦି ମେ ମାସ ସୁଦ୍ଧା ସବୁ ରାଜ୍ୟରେ ଟିକାକରଣ ତ୍ୱରାନ୍ୱିତ ନ ହୁଏ ଏବଂ ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସେ ତେବେ ଦେଶବ୍ୟାପି ବ୍ୟବସାୟିକ ସଂସ୍ଥାନ ତଥା କାର୍ଯ୍ୟକଳାପ ଉପରେ ଖୁବ୍ ଖରାପ ପ୍ରଭାବ ପଡିବ । ଆଉ ଏହାଦ୍ୱାରା ଲୋକଙ୍କ ଚାକିରୀ ଓ ରୋଜଗାର ଆହୁରି କମିଯିବ ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ ।

Get real time updates directly on you device, subscribe now.