fbpx

“ଓଡ଼ିଶାରେ ଗରିବୀ ଜାତୀୟ ହାରଠୁ କମ୍’, ମୋଟ୍ ଜନସଂଖ୍ୟାର ୨୯.୩୫% ଲୋକ ଗରିବ

ଭୁବନେଶ୍ୱର, ୨୯ା୭ (ଭାସ୍କର ନ୍ୟୁଜ୍): ଓଡ଼ିଶାର ମୋଟ୍ ଜନସଂଖ୍ୟାର ୨୯.୩୫% ଲୋକ ଗରିବ ବୋଲି ଆକଳନ କରାଯାଇଛି । ତେବେ ଜାତୀୟ ହାର ତୁଳନାରେ ଓଡ଼ିଶାରେ କମ୍ ଗରିବ ରହିଛନ୍ତି ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ସୂଚନା ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଢୋଲକିଆ କହିଥିଲେ ଯେ, ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଚାଲିଥିବା ଓଡ଼ିଶା ଜୀବିକା ମିଶନ୍, କାଳିଆ ଓ ମମତା ଯୋଜନାରେ ଆର୍ଥିକ ସହାୟତା, ବିଜୁ ପକ୍କାଘର, ରିହାତି  ଦରରେ ଖାଦ୍ୟଶସ୍ୟ ଯୋଗାଣ, ଦକ୍ଷତା ଓ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନଗଦ ବିହୀନ ଚିକିତ୍ସା, ମନରେଗା ଓ ମୁକ୍ତା ଯୋଜନାରେ ରୋଜଗାରର ସୁବ୍ୟବସ୍ଥା ଇତ୍ୟାଦି ଉଲ୍ଲେଖନୀୟ ।

ଏହାର ପ୍ରଭାବରେ ରାଜ୍ୟରେ ସମ୍ପୂର୍ଣ୍ଣ ଦାରିଦ୍ର୍ୟର ହ୍ରାସ ଘଟିବାରେ ଲାଗିଛି । ଯୋଜନା ଆୟୋଗଙ୍କ ଦ୍ୱାରା ହୋଇଥିବା ଆକଳନ ଅନୁଯାୟୀ ଦାରିଦ୍ର୍ୟ ହାର ୨୦୦୪-୦୫ରେ ୫୭.୦୨% ରହିଥିବାବେଳେ ୨୦୧୧-୧୨ରେ ଏହା ୩୨.୦୬% ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ହାର ୨୪.୦୬% ହ୍ରାସ ପାଇଛି । ତେବେ ରାଜ୍ୟର ଦାରିଦ୍ର୍ୟକୁ ମାପିବାର ଏକ ନୂଆ ପଦ୍ଧତି ହେଉଛି ଏମ୍ପିଆଇ । ଏହା ଅନୁସାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନଧାରଣର ମାନକୁ ନେଇ ଦାରିଦ୍ର୍ୟର ସଂଜ୍ଞା ନିରୂପଣ ହୋଇଥାଏ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ଦାରିଦ୍ର୍ୟର ତୀବ୍ରତା ୪୬.୦୨% ରହିଥିବାବେଳେ ଜାତୀୟ ହାର ୪୭.୧୩%ଠାରୁ ଏହା କମ୍ ରହିଛି । ତେଣୁ ଓଡ଼ିଶାରେ ଦାରିଦ୍ର୍ୟ ହାର ଧୀରେ ଧୀରେ କମୁଥିବା ଶ୍ରୀ ଢୋଲକିଆ କହିଛନ୍ତି ।

Get real time updates directly on you device, subscribe now.