କାଲି ନିଦରୁ ଉଠିବେ ପ୍ରଜ୍ଞାନ ଓ ବିକ୍ରମ; ଦୀର୍ଘ ୧୪ ଦିନ ବ୍ୟବଧାନ ପରେ ପୁଣି ଆଗକୁ ବଢିବ ଭାରତର ମୁନ୍ ମିଶନ!

ଓଡିଶା ଭାସ୍କର; ଦୀର୍ଘ ୧୪ ଦିନ ବ୍ୟବଧାନ ପରେ କାଲି ପୁଣି ଚନ୍ଦ୍ରରେ ପଡିବ ସୂର୍ଯ୍ୟକିରଣ । ଏହା ହେବା ମାତ୍ରେ ଚନ୍ଦ୍ରଜାନ-୩ ର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ସୂର୍ଯ୍ୟକିରଣ ଠାରୁ ଶକ୍ତି ପାଇବେ । ଫଳରେ ସେମାନେ ନିଦରୁ ଉଠି ଅର୍ଥାତ ସ୍ଲିପ ମୋଡ଼ରୁ ଆକ୍ଟିଭ ମୋଡ଼କୁ ଆସିବେ । ସେପ୍ଟେମ୍ବର ୨୨ ତାରିଖରେ ବିକ୍ରମ ଓ ପ୍ରଜ୍ଞାନ ପୁଣିଥରେ ସକ୍ରିୟ ହେବା ନେଇ ଇସ୍ରୋ ପୂର୍ବରୁ ସୂଚନା ଦେଇଥିଲା । ଯାହାକୁ ନେଇ ସମସ୍ତ ଦେଶବାସୀ ଆଶାବାଦୀ ଅଛନ୍ତି ଯେ, କାଲି ନିଶ୍ଚୟ ସେମାନେ ଆକ୍ଟିଭ ମୋଡ଼କୁ ଆସିବାରେ ସଫଳ ହେବେ । ତେବେ ଏନେଇ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଲ୍ୟାଣ୍ଡର ଓ ରୋଭରକୁ ଶିବଶକ୍ତି ପଏଣ୍ଟରେ ରଖାଯାଇଛି । ସୂର୍ଯ୍ୟୋଦୟ ପରେ ଏହାର ପେଲୋଡ୍ ପୁଣିଥରେ ଆରମ୍ଭ ହୋଇପାରେ । ସେପ୍ଟେମ୍ବର ୪ ତାରିଖରେ ବିକ୍ରମ ଲ୍ୟାଣ୍ଡରକୁ ସ୍ଲିପିଂ ମୋଡକୁ ଅଣାଯାଇଥିଲା । କେବଳ ରିସିଭରକୁ ଛାଡ଼ି ବାକି ସମସ୍ତ ଯନ୍ତ୍ରାଂଶକୁ ବନ୍ଦ କରିଦିଆଯାଇଥିଲା ।

ସୂଚନା ଯୋଗ୍ୟ, ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଂଚି ଇତିହାସ ରଚିଥିଲା । ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ଅବତରଣ କରିବାରେ ସଫଳ ହୋଇଥିଲା ଭାରତର ଚନ୍ଦ୍ରଯାନ-୩ ।