ପ୍ରମୋଦ ଭଗତଙ୍କୁ ଖେଳରତ୍ନ; ନୀରଜ ଚୋପ୍ରାଙ୍କ ସମେତ ୧୧ ଜଣ ମନୋନୀତ

ନୂଆଦିଲ୍ଳୀ: ଓଡ଼ିଶାର ଗର୍ବ ଓ ଗୌରବ ତଥା ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିବ ଖେଳରତ୍ନ । ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୧୧ ଜଣ ଖେଳାଳିଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି । ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯିବା ପରେ ପ୍ରଥମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ସମୁଦାୟ ୧୧ ଜଣଙ୍କୁ ମନୋନୀତ କରାଯାଇଛି । ପାରା ଅଲିମ୍ପିଆନ ତଥା ବ୍ୟାଡମିଣ୍ଟନ ସ୍ୱର୍ଣ୍ଣ ବିଜେତା ପ୍ରମୋଦଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜୟ ସହିତ ଦେଶକୁ ଗର୍ବିତ କରିଥିଲେ ପ୍ରମୋଦ । ଏହା ବ୍ୟତିତ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସମେତ ୧୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଜୁଲାଇ-ଅଗଷ୍ଟରେ ଏହି ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିଲେ ହେଁ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଥିଲେ । ନୀରଜଙ୍କ ବ୍ୟତିତ ରବି ଦାହିୟା, ପି ଆର ଶ୍ରୀଜେସ୍, ଲଭଲିନା ବୋର୍ଗୋହେନ୍, ସୁନୀଲ ଛେତ୍ରୀ, ମିଥାଲି ରାଜ, ସୁମିତ ଆଣ୍ଟିଲ, ଅବନୀ ଲେଖାରୀ, କ୍ରିଷ୍ଣା ନଗର ଏବଂ ମନୀଷ ନରୱଲଙ୍କୁ ମନୋନୀତ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ୩୫ ଜଣ ଖେଳାଳିଙ୍କୁ ମନୋନୀତ କରିଛି କ୍ରୀଡା ମନ୍ତ୍ରାଳୟ । କ୍ରିକେଟର ଶିଖର ଧୱନଙ୍କ ସମେତ ଭବିନା ବେନ ପଟେଲ ଏବଂ ଅନ୍ୟ ମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି ।