fbpx

ପ୍ରମୋଦ ଭଗତ ପ୍ୟାରିସ ପାରାଅଲିମ୍ପିକ୍ସରୁ ସସପେଣ୍ଡ: ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ କାରଣରୁ BWFର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି କାରଣରୁ ନିକଟରେ ପ୍ୟାରିସ ଅଲିମ୍ପିକ୍ସରୁ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଥିଲେ । କୁସ୍ତିରେ ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ନିଶ୍ଚିତ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧାଙ୍କୁ ନେଇ ୧୪୦ କୋଟି ଭାରତୀୟ ସ୍ତବ୍ଧ ହୋଇଯାଇଥିଲେ । ଆଜି ଉକ୍ତ ମାମଲାର ଶୁଣାଣି କୋର୍ଟ ଅଫ୍ ଆର୍ବିଟ୍ରେସ ଫର ସ୍ପୋର୍ଟ (ସିଏଏସ) ଦ୍ୱାରା କରାଯିବ । ତେବେ ଏହା ମଧ୍ୟରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ପୁଣି ଆସିଛି ଏକ ନୈରାଶ୍ୟଜନକ ଖବର ।

ଓଡ଼ିଆ ପୁଅ ତଥା ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସସପେଣ୍ଡ କରାଯାଇଛି । ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ କାରଣରୁ ପ୍ରମୋଦଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ (ବିଡବ୍ଲ୍ୟୁଏଫ) । ଏହି ନିଷ୍ପତ୍ତି ଫଳରେ ପ୍ରମୋଦ ପ୍ୟାରିସ ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇଛନ୍ତି । ୧୨ ମାସ ମଧ୍ୟରେ ପ୍ରମୋଦ ୩ଟି କ୍ଷେତ୍ରରେ ବିଫଳ ହୋଇ ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ କରିଥିବା ନେଇ ଗତ ମାର୍ଚ୍ଚ ମାସ ପହିଲାରେ ସିଏଏସ୍ ଜାଣିପାରିଥିଲା ବୋଲି ବିଡବ୍ଲ୍ୟୁଏଫ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ।

ପ୍ରମୋଦ ଗତ ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରମୋଦ ଜଣେ ଏସଏଲ୩ ଆଥଲେଟ ହୋଇଥିବା ବେଳେ ସେ ବିଡଫ୍ଲ୍ୟୁଏଫର ନିଷ୍ପତ୍ତିକୁ ନେଇ ସିଏଏସରେ ଅପିଲ କରିଥିଲେ । ଗତ ମାସ ୨୯ ତାରିଖରେ ସିଏଏସ ଆପେଲ ଡିଭିଜନ ପ୍ରମୋଦଙ୍କ ଅପିଲଙ୍କୁ ଖାରଜ କରିଦେବା ସହ ଗତ ମାର୍ଚ୍ଚ ପହିଲାର ଆଣ୍ଟି ଡୋପିଂ ଡିଭିଜନ ନିଷ୍ପତ୍ତିକୁ ସ୍ପଷ୍ଟ କରିଥିଲେ । ଗତ ଟୋକିଓ ପାରାଅଲିମ୍ପିକ୍ସ ଫାଇନାଲରେ ପ୍ରମୋଦ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ଏସଏଲ୩ ପୁରୁଷ ସିଙ୍ଗଲ୍ସ ବର୍ଗରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରମୋଦ ପ୍ୟାରିସ ପାରାଅଲିମ୍ପିକ୍ସରୁ ବାଦ୍ ପଡ଼ିବା ଓଡ଼ିଶା ସମେତ ସମଗ୍ର ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ଏକ ଶକ୍ତ ଝଟକା ।

Get real time updates directly on you device, subscribe now.