fbpx

ଭାରତ ଭିଏତନାମ ବନ୍ଧୁତ୍ୱର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Advertisement

ଭୁବନେଶ୍ୱର; ବିଶ୍ୱର ଯୁଦ୍ଧ ପରାକ୍ରମୀ ଯୁକ୍ତରାଷ୍ଟ୍ର ଆମେରିକାର ଧ୍ୱଂସକାରୀ ଶକ୍ତିକୁ ଭିଏତନାମର କୃଷକ ଓ ଜନଗଣଙ୍କର ବୀରତ୍ୱପୂର୍ଣ୍ଣ ମୁକାବିଲାର ସ୍ୱର୍ଣ୍ଣିମ ଅଧ୍ୟାୟ ଭିତିରେ ଭାରତ-ଭିଏତନାମ ମଧ୍ୟରେ ସଂପର୍କ ୫୦ ବର୍ଷ ତଳେ ଗଢି ଉଠିଥିଲା । ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ISCUF) ପକ୍ଷରୁ ଭାରତ-ଭିଏତନାମ୍ ଅତୁଟ ବନ୍ଧୁତ୍ୱର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଗତ ୦୩ ତାରିଖରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଜୟନ୍ତୀ ପାଳନ ଅବସରରେ ଭିଏତନାମର ରାଷ୍ଟ୍ରଦୂତ ଓ ପ୍ରଥମ ସଚିବ ଆସନ୍ତା ୨୬,୨୭ ଓ ୨୮ ଏପ୍ରିଲରେ ଓଡ଼ିଶା ଗସ୍ତରେ ଆସିବେ । ଏହି ତିନିଦିନ ଧରି ଓଡ଼ିଶା -ଭିଏତନାମ ମଧ୍ୟରେ ୧୦୦୦ବର୍ଷ ସଂପର୍କର ପୁର୍ନ ସଂଯୋଜନା ପାଇଁ ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ବିଶ୍ୱବିଦ୍ୟାଳୟ ସ୍ତରରେ ଅନଲାଇନ୍ ପ୍ରବନ୍ଧ ପ୍ରତିଯୋଗିତା , ଇଣ୍ଡୋ-ଭିଏତନାମ୍ ବନ୍ଧୁତ୍ୱର ଐତିହାସିକ ଫଟୋଚିତ୍ର ପ୍ରଦର୍ଶନ, ବନ୍ଧୁତ୍ୱ ସଂପର୍କରେ ପୁସ୍ତିକା ପ୍ରକାଶନ ସହ ଭୁବନେଶ୍ୱର,କଟକ ଓ ପୁରୀ ଜିଲ୍ଲାରେ ଇସ୍କଫ୍ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

ଏହି କାର୍ଯ୍ୟକ୍ରମ ମାନଙ୍କରେ ବିଭିନ୍ନ ଗଣସଙ୍ଗଠନ,ସାମ୍ରାଜ୍ୟବାଦୀ ବିରୋଧି ଶାନ୍ତିକାମୀ ରାଜନୈତିକ ଦଳର ନେତୃତ୍ୱ , ବିଶ୍ୱବିଦ୍ୟାଳୟର ପ୍ରଫେସର,ଅଧ୍ୟାପକ,ଶିକ୍ଷାନବୀଶ ଓ ଛାତ୍ରଛାତ୍ରୀ ସାମିଲ୍ ହେବେ । ଇସକଫର ସର୍ବଭାରତୀୟ ଉପସଭାପତି ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସର୍ବଭାରତୀୟ ସାଧାରଣ ସଂପାଦକ ବିଜୟ ପଢିଆରୀ,ରାଜ୍ୟ ସାଧାରଣ ସଂପାଦକ ଜାନକୀ ବଲ୍ଲଭ ମହାନ୍ତି,ରାଜ୍ୟ ଉପସଭାପତି ବିଜୟ ମହାନ୍ତି,ପୂର୍ବତନ ଉଚ୍ଚଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ପ୍ର. ଅମୀୟ ମହାନ୍ତି,ପ୍ର. ଅଶୋକ ପଟ୍ଟନାୟକ,ସିପିଆଇ ନେତା ସୁର ଜେନା,ଜୟନ୍ତ ଦାସ,ସତୀଶ ମିଶ୍ର,ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା,ତପନ ସ୍ୱାଇଁ ଓ ଅଜୟ ସାମଲଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.