fbpx

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି: ପୁରୀରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ପୁଷ୍ପଗଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନ୍ନର ଦିଆଯାଇଥିଲା ।

ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ତାଙ୍କୁ ମହାରାଜା ଗଜପତି ଦିବ୍ୟସିଂହ ଦେବ ସ୍ୱାଗତ ଜଣାଇଥିଲେ । ଏହାପରେ ରାଷ୍ଟ୍ରପତି ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ । ସିଂହଦ୍ୱାର ନିକଟରେ ରାଷ୍ଟ୍ରପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରିଥିଲେ । ରାଷ୍ଟ୍ରପତି ବଡ଼ଦାଣ୍ଡରେ ଚାଲୁଥିବା ବେଳେ ତାଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଅନ୍ୟ ସୁରକ୍ଷା କର୍ମୀମାନେ ରହିଥିଲେ ।

ଭାରତବର୍ଷର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଦ୍ରୌପଦୀ ପ୍ରଥମ ଥର ପାଇଁ ନିଜର ଜନ୍ମମାଟି ଓଡ଼ିଶାକୁ ଗସ୍ତ କରିଛନ୍ତି । ତେଣୁ ରାଷ୍ଟ୍ରପତିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସେ ପଢ଼ିଥିବା ଭୁବନେଶ୍ୱର ସ୍ଥିତ ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ପୁରୀରେ ରାଷ୍ଟ୍ରପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଫେରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ତାଙ୍କ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବେଶ୍ ଉତ୍ସାହିତ ରହିଛନ୍ତି । ଏଥିସହିତ ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ହଷ୍ଟେଲ ବୁଲିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.