ଜିଆରଏପିରେ ତାଲିକାଭୁକ୍ତ କାର୍ଯ୍ୟକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମୁକାବିଲା ଉପରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶୀତ ଋତୁ ପାଖେଇ ଆସୁଥିବା ବେଳେ ଦିଲ୍ଲୀ-ଏନସିଆରରେ ପ୍ରତିକୂଳ ବାୟୁ ଗୁଣବତ୍ତା ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଅଂଶୀଦାରଙ୍କୁ ନେଇ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଶିଳ୍ପ ପ୍ରଦୂଷଣ, ଯାନବାହନ ପ୍ରଦୂଷଣ; ନିର୍ମାଣ ଓ ଉଚ୍ଛେଦ (ସିଆଣ୍ଡଡି); ରାସ୍ତା ଓ ଆରଓଡବ୍ଲ୍ୟୁରୁ ଧୂଳି; ମ୍ୟୁନିସିପାଲିଟି କଠିନ ବର୍ଜ୍ୟବସ୍ତୁ (ଏମଏସଡବ୍ଲ୍ୟୁ) ପୋଡ଼ିବା, ବାୟୋମାସ୍ ଏବଂ ମିଶ୍ରିତ ବର୍ଜ୍ୟବସ୍ତୁ ପୋଡ଼ିବା; ଚାଷ ଜମିରେ ନଡ଼ା ଜାଳିବା; ଏବଂ ଅନ୍ୟ ଉତ୍ସ ସମେତ ସମେତ ବାୟୁ ପ୍ରଦୂଷଣର ବିଭିନ୍ନ ଉତ୍ସର ପ୍ରଭାବ ହ୍ରାସ ପାଇଁ ନିଆଯାଉଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରମୁଖ ଶାସନ ସଚିବ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବାୟୁ ପ୍ରଦୂଷଣ ରୋକିବା ପାଇଁ ସବୁଜିମା ଓ ବୃକ୍ଷରୋପଣ ଭଳି ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର କାର୍ଯ୍ୟକାରିତା, ଏହାର ତଦାରଖ ଓ କ୍ଷେତ୍ରସ୍ତରରେ ଏହାର କାର୍ଯ୍ୟକାରିତାରେ ଉନ୍ନତି ଆଣିବା ଦିଗରେ ପ୍ରମୁଖ ଶାସନ ସଚିବ ଆଲୋଚନା କରିଥିଲେ। ସେ କହିଥିଲେ, ବାୟୁର ଗୁଣବତ୍ତା ଖରାପ ହେବାରୁ ରୋକିବା ପାଇଁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ଜିଆରଏପିରେ ତାଲିକାଭୁକ୍ତ କାର୍ଯ୍ୟକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ ।

ସିଏକ୍ୟୁଏମର ଅଧ୍ୟକ୍ଷ ଡକ୍ଟର ଏମ୍ ଏମ୍ କୁଟ୍ଟି ସୂଚନା ଦେଇଥିଲେ ଯେ, ଏନସିଆରର ଶିଳ୍ପଗୁଡ଼ିକୁ ସ୍ୱଚ୍ଛ ଇନ୍ଧନରେ ପରିବର୍ତ୍ତିତ କରାଯାଉଛି ଏବଂ ୨୪୦ଟି ଶିଳ୍ପାଞ୍ଚଳ ମଧ୍ୟରୁ ୨୧୧ଟିକୁ ସିଏନଜି ସଂଯୋଗ ପ୍ରଦାନ କରାଯାଇଛି। ସେହିପରି ୭୭୫୯ଟି ଇନ୍ଧନ ଭିତ୍ତିକ ଶିଳ୍ପ ମଧ୍ୟରୁ ୭୪୪୯ଟି ପିଏନଜି/ଅନୁମୋଦିତ ଇନ୍ଧନକୁ ପରିବର୍ତ୍ତିତ ହୋଇଛନ୍ତି ।

ସିଏକ୍ୟୁଏମ୍ ର ଅଧ୍ୟକ୍ଷ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବିଦ୍ୟୁତ ଶକ୍ତି ପରିଚାଳିତ ଯାନରେ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ଏନସିଆରରେ ୪,୧୨,୩୯୩ଟି ଇ-ଯାନ ପଞ୍ଜୀକୃତ ହୋଇଛି। ଇ-ବସ୍ ଏବଂ ବ୍ୟାଟେରୀ ଚାର୍ଜିଂ ଷ୍ଟେସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଦିଲ୍ଲୀରେ ୪୭୯୩ ଇଭି ଚାର୍ଜିଂ ପଏଣ୍ଟ ରହିଛି ।

ନିର୍ମାଣ ଓ ଉଚ୍ଛେଦ (ସିଆଣ୍ଡଡି) ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସିଏକ୍ୟୁଏମ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ଦୈନିକ ୫୧୫୦ ଟନ୍ (ଟିପିଡି) କ୍ଷମତା ବିଶିଷ୍ଟ ୫ଟି ସିଆଣ୍ଡଡି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା କାର୍ଯ୍ୟକ୍ଷମ ହୋଇଛି । ଦିଲ୍ଲୀରେ ୧୦୦୦ ଟିପିଡି କ୍ଷମତା ବିଶିଷ୍ଟ ଆଉ ଏକ ସୁବିଧା କାର୍ଯ୍ୟକ୍ଷମ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ହରିୟାଣାରେ ୬୦୦ ଟିପିଡି କ୍ଷମତା ବିଶିଷ୍ଟ ସିଆଣ୍ଡଡି ସୁବିଧା କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆହୁରି ୭୦୦ ଟିପିଡି କ୍ଷମତା ପାଇଁ ପଦକ୍ଷେପ ନିଆଯାଉଛି । ଉତ୍ତରପ୍ରଦେଶରେ ୧୩୦୦ ଟିପିଡି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨ଟି ସୁବିଧା ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ସିଆଣ୍ଡଡି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରିବାକୁ ସମସ୍ତ ରାଜ୍ୟକୁ ଅନୁରୋଧ କରାଯାଇଛି ।

ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଧାନ ଫସଲ ଅବଶେଷ ବା ନଡ଼ା ପୋଡ଼ିବା ମାତ୍ରାରେ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ତିନି ରାଜ୍ୟର ମୁଖ୍ୟ ଶାସନ ସଚିବଏହି ପ୍ରସଙ୍ଗ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫସଲ ଅବଶେଷ ପରିଚାଳନା (ସିଆରଏମ) ମେସିନ୍ ମାଧ୍ୟମରେ ଧାନ ଫସଲର ଆଭ୍ୟନ୍ତରୀଣ ପରିଚାଳନା ଏବଂ ଜୈବ ବିଶୋଧକ ଭାବେ ଏହାର ବ୍ୟବହାର ଲାଗି ସେ ପରାମର୍ଶ ଦେଇଥିଲେ। ଏହି ଜ୍ଞାନକୌଶଳର ଉନ୍ନତି ପାଇଁ ସେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍)କୁ ପରାମର୍ଶ ଦେଇଥିଲେ। ଧାନ ନଡ଼ାର ଅତ୍ୟାଧୁନିକ ପରିଚାଳନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ସେ ଏହାର ଉପଯୋଗ ଉପରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଧାନ ନଡ଼ାର ପ୍ରଭାବଶାଳୀ ଉପଯୋଗ ନିମନ୍ତେ ପର୍ଯ୍ୟାପ୍ତ ସଂରକ୍ଷଣ ସୁବିଧା ସହିତ ବେଲିଂ, ବ୍ରିକେଟିଂ ଓ ପେଲେଟିଂ ଇତ୍ୟାଦିର ଭିତ୍ତିଭୂମି ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ ତାପଜ ବିଦ୍ୟୁତ ପ୍ଲାଣ୍ଟରେ ଧାନ ନଡ଼ାର ଉପଯୋଗ ଉପରେ ଗୁରୁତ୍ୱ ଦେବା ସହ ବାୟୋମାସ୍ ର କୋ-ଫାୟାରିଂ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ପ୍ରମୁଖ ଶାସନ ସଚିବ ଡକ୍ଟର ମିଶ୍ର ଆଲୋଚନା ସମୟରେ ବାୟୋମାସ୍ ପେଲେଟ୍ କ୍ରୟ, ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଜାରି ବେଞ୍ଚମାର୍କ ମୂଲ୍ୟ ଗ୍ରହଣ, ମାର୍ଚ୍ଚ ୨୦୨୪ ସୁଦ୍ଧା ସମଗ୍ର ଏନସିଆର ଅଞ୍ଚଳରେ ଗ୍ୟାସ ଭିତ୍ତିଭୂମି ଏବଂ ଯୋଗାଣର ସମ୍ପ୍ରସାରଣ ଏବଂ ଚାହିଦା ଅନୁଯାୟୀ ବାୟୋମାସର ଦ୍ରୁତ ଯୋଗାଣ ସୁନିଶ୍ଚିତ କରିବା ଭଳି ଅନେକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ, ଅତ୍ୟଧିକ ପୁରୁଣା ଗାଡିଗୁଡିକୁ ବଦଳାଇବା ପାଇଁ ଅଭିଯାନକୁ ତ୍ୱରାନ୍ୱିତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଭରଲୋଡିଂ ଏବଂ ଅନ୍ୟାନ୍ୟ କାରଣରୁ ଦୃଶ୍ୟମାନ ଭାବେ ପ୍ରଦୂଷିତ ହେଉଥିବା ଯାନଗୁଡିକ ଏବଂ ସମ୍ପୃକ୍ତ ସମସ୍ତଙ୍କ ଦ୍ୱାରା ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ରେ ପରିକଳ୍ପିତ କାର୍ଯ୍ୟକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ଡକ୍ଟର ମିଶ୍ର ଜୋର ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ସମସ୍ତ ପ୍ରମୁଖ ଅଂଶୀଦାର ଯଥା ପରିବେଶ, କୃଷି, ଶକ୍ତି, ପେଟ୍ରୋଲିୟମ, ସଡ଼କ ପରିବହନ ଓ ରାଜପଥ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସମେତ ଏନସିଆର ଏବଂ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ପ୍ରତିନିଧି, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀର ମୁଖ୍ୟ ଶାସନ ସଚିବ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ/ଡିପିସିସିଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ।