ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ କଥା ହୋଇଛନ୍ତି । ସେ ସମ୍ଭାବ୍ୟ ତୃତୀୟ ଲହର ଏବଂ ବର୍ତ୍ତମାନର ଟିକାକରଣକୁ ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏହି ୬ରାଜ୍ୟକୁ ୪T ମନ୍ତ୍ର ଦେଇଛନ୍ତି । ଶୁକ୍ରବାର ହୋଇଥିବା ହୋଇଥିବା ଏହି ସମୀକ୍ଷା ବୈଠକରେ କହିଛନ୍ତି ଯେ, ଆମକୁ ଟେଷ୍ଟ, ଟ୍ରାକ୍, ଟ୍ରୀଟ୍ ଏବଂ ଟିକା ରଣନୀତି ଉପରେ ଫୋକସ୍ କରି ଆଗକୁ ବଢ଼ିବାକୁ ପଡ଼ିବ । ଏଥିସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର । ଯେଉଁ ଜିଲ୍ଲାମାନଙ୍କରେ କରୋନା ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି ସେହିସବୁ ଜିଲ୍ଲା ମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଛନ୍ତି ଯେ, ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ପରେ ଜଣାପଡ଼ିଥିଲା ଯେ, ସେମାନେ କୌଣସି ଲକଡାଉନ୍ କି ସଟଡାଉନ୍ କରି ନଥିଲେ । କିନ୍ତୁ ସେମାନେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କୁ କହିଛନ୍ତି ଯେ, ବିନା ଲକଡାଉନ୍ ରେ ମଧ୍ୟ କରୋନା ସହିତ ଲଢ଼େଇ କରାଯାଇପାରିବ । ସେ କହିଛନ୍ତି ଯେ ଯେଉଁ ରାଜ୍ୟରେ ମାମଲା ବଢ଼ୁଛି, ସେମାନଙ୍କୁ ବର୍ତ୍ତମାନ ଠାରୁ ହିଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ତୃତୀୟ ଲହରର ସମ୍ଭାବନାକୁ ରୋକିବାକୁ ପଡ଼ିବ । ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଦୀର୍ଘ ଦିନ ଧରି ମାମଲାରେ ବୃଦ୍ଧି ହେତୁ କରୋନାର ସ୍ୱରୂପରେ ପରିବର୍ତ୍ତନ ହୋଇପାରେ ଏବଂ ଏହା ନୂତନ ପ୍ରକାରର ବିପଦର ଆଶଙ୍କା ବଢ଼ାଇଥାଏ । ତେଣୁ ଆମକୁ ସମାନ ରଣନୀତି ଆପଣାଇବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଏବଂ ୟୁରୋପରେ ପୁଣିଥରେ ମାମଲା ବଢ଼ିବାରେ ଲାଗିଛି । ଏହା ବ୍ୟତୀତ ପଡ଼ୋଶୀ ଦେଶ ବାଲାଂଦେଶ ଏବଂ ଥାଇଲ୍ୟାଣ୍ଡରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଛି । ତେଣୁ ଏହା ଆମ ପାଇର୍ ଏକ ଚେତାବନୀ । ଆମକୁ ମନେରଖିବାକୁ ହେବ ଯେ, କରୋନା ମହାମାରୀ ଏବେ ଶେଷ ହୋଇନି । ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ ଜାରି ରହିଛି ।