ମିଲିଟାରୀ ହେଲିକପ୍ଟର ବନେଇବେ ଭାରତୀୟ କମ୍ପାନୀ: ଖୁବଶୀଘ୍ର ରକ୍ଷା ମନ୍ତ୍ରାଳୟ ଦେବ ଅନୁମତି

ନୂଆଦିଲ୍ଲୀ: ମିଲିଟାରୀ ହାର୍ଡଓୟାର କ୍ଷେତ୍ରରେ ଭାରତ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ରକ୍ଷା ଅଧିଗ୍ରହଣ ପ୍ରକ୍ରିୟାକୁ ମାନୁଆଲରେ କରିବା ପାଇଁ ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ । ଏହାଦ୍ୱାରା ସାର୍ବଜନୀନ ପ୍ରତିରକ୍ଷା କାର୍ଯ୍ୟରେ ଅଦିକାଂଶ ଅଂଶଧନ ସହିତ ଆବଶ୍ୟକ ଅସ୍ତ୍ର ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ପ୍ରାଇଭେଟ ସେକ୍ଟରଗୁଡିକୁ ଅନୁମତି ମିଳିପାରିବ । ତେବେ ଇଣ୍ଡିଆନ ମଲ୍ଟି-ରୋଲ ହେଲିକପ୍ଟର(IMRH) ର ବିକାଶ ଏବଂ ନିର୍ମାଣରେ ଏହାର ପ୍ରଥମ ପରୀକ୍ଷଣ କରାଯିବ ବୋଲି ଜଣାଯାଇଛି ।

ବର୍ତ୍ତମାନ ଭାରତୀୟ ସେନା ଦ୍ୱାରା ବ୍ୟବହାର ହେଉଥିବା ଋଷର Mi-17 ଏବଂ Mi-8 ହେଲିକପ୍ଟର ବଦଳରେ ଏବେ IMRH ବ୍ୟବହାର କରିବ ଭାରତ । ଇଣ୍ଡିଆନ ମଲ୍ଟି-ରୋଲ ହେଲିକପ୍ଟର ଅର୍ଥାତ IMRHରେ ୧୩ ଟନ ଓଜନର ସାମଗ୍ରୀ ବହି ଉଡିବାର କ୍ଷମତା ରହିଛି । ଏହି ସ୍ୱଦେଶୀ ହେଲିକପ୍ଟର ଭାରତୀୟ ସଶସ୍ତ୍ର ବଳ ସହିତ ଏୟାର ଆଟାକ, ଆଣ୍ଟି ସବମରୀନ, ଆଣ୍ଟି ସିପ, ମିଲିଟାରୀ ଟ୍ରାନ୍ସପୋର୍ଟ ଇତ୍ୟାଦିରେ ପ୍ରଦର୍ଶନ କରିପାରିବ । ତେବେ ଭାରତର ପ୍ରାଇଭେଟ କମ୍ପାନୀଗୁଡିକ ପ୍ରଥମରୁ ଏହି ପ୍ରୋଜେକ୍ଟ ପାଇଁ ଆଗ୍ରହ ଦେଖାଇଥିଲେ । ତେଣୁ ଆଗାମୀ ୭ ବର୍ଷ ମଧ୍ୟରେ IMRH ପ୍ରସ୍ତୁତି ଆରମ୍ଭ କରିବା ପାଇଁ କହିଛି ରକ୍ଷା ମନ୍ତ୍ରାଳୟ ।

ଫ୍ରାନ୍ସର କମ୍ପାନୀ ସଫ୍ରାନ ଜୁଲାଇ ୮ ତାରିଖରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(HAL) ସହିତ ଏକ ଚୁକ୍ତି ସ୍ୱାକ୍ଷର କରି ସାରିଛି । IMRH ପାଇଁ ଇଞ୍ଜିନ ବିକଶିତ କରିବା ସହିତ ଏହାର ଉତ୍ପାଦନ କରୁଥିବା ଏକ ଜଏଣ୍ଟ ଭେଞ୍ଚର ପ୍ରସ୍ତୁତ କରିବା ହେଉଛି ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ । ତେବେ ବିକଶିତ IMRH କିଣିବା ପାଇଁ ଭାରତୀୟ ସଶସ୍ତ୍ର ବଳକୁ କୁହାଯାଇଛି । ଏବଂ ଏହାର ଉତ୍ପାଦନ ପାଇଁ ଆସନ୍ତା ୭ ବର୍ଷର ସମୟ ନିର୍ଦ୍ଧାରଣ କରାଯାଇଛି ।