fbpx

କରୋନା କାଳର ଦେବଦୂତ ଅଧ୍ୟାପକ ତାପସ, ମାଗଣାରେ ଘରେ ଘରେ ପହଞ୍ଚାଉଛନ୍ତି ଖାଦ୍ୟ

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର) : କରୋନା ମହାମାରୀ ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେଉଁ ଠାରେ କି ନିଜ ଲୋକ ମଧ୍ୟ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଏହି ଅସମୟରେ ସହଯୋଗର ମାଧ୍ୟମ ସାଜିଛନ୍ତି ଅଧ୍ୟାପକ ଡ. ତାପସ ପଣ୍ଡା । ଭୋକିଲା ପେଟର ଭୋକକୁ ବୁଝି ସଙ୍ଗେ ସଙ୍ଗେ ଘରେ ନେଇ ଖାଇବା ପହଞ୍ଚାଉଛନ୍ତି । ପେସାରେ ଅଧ୍ୟାପକ ହେଲେ ବି ନିଜର ସାହାଯ୍ୟ କରିବାର ନିଶାକୁ ଭୁଲି ଯାଇ ନାହାନ୍ତି । ରାଜ୍ୟବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ ସେ କରୋନା ସଂକ୍ରମିତଙ୍କ ଘରେ ଯାଇ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ସଂକ୍ରମଣ ଭୟରେ ଲୋକେ ଘରୁ ଗୋଡ କାଢ଼ୁ ନଥିବା ବେଳେ ଶ୍ରୀ ପଣ୍ଡା କାହାଠାରୁ ପଇସାଟିଏ ବି ନନେଇ ସ୍ୱଚ୍ଛଳ ମନରେ ଘରେ ଘରେ ଖାଇବା ଯୋଗାଉଛନ୍ତି ।

ରାଜଧାନୀରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ହସ୍ପିଟାଲରେ ଗୁରୁତର ରୋଗୀ ଥିବା ବେଳେ ସରକାରଙ୍କ ପରାମର୍ଶକୁ ପାଳନ କରି ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ମାନେ ଘରେ ଆଇସୋଲେସନ୍ ରେ ଅଛନ୍ତି । ଯାହା ଫଳରେ ସେମାନେ ଖାଇବା ପିଇବା ପାଇଁ ନାନା ଅସୂବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ମୁହୁର୍ତ୍ତରେ ଦେବଦୁତ ସାଜି ଫୋନ୍ କଲ୍ ପାଇବା ମାତ୍ରେ ବାଇକ୍ ଧରି ଖାଇବା ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରି ପଡୁଛନ୍ତି ଡ. ପଣ୍ଡା । ନିଜ ଘରେ ରୋଷେଇ କରି ପ୍ରତିଦିନ ଲୋକଙ୍କ ଭୋକ ମେଣ୍ଟାଉଛନ୍ତି ଏହି ମହାନ୍ ବ୍ୟକ୍ତିତ୍ୱ । ତେବେ ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରନ୍ତି ତାଙ୍କ ସ୍ତ୍ରୀ, ଝିଅ ଓ ଭାଣୀଜୀ । ପତ୍ନୀ ରୋଷେଇ କରୁଥିବା ବେଳେ ଝିଅ ଏବଂ ଭାଣୀଜୀ ମିଶି ପ୍ୟାକିଂ କରନ୍ତି । ସେମାନେ ମଧ୍ୟ ଆଗ୍ରହର ସହ ଏସବୁ କରନ୍ତି । ଖାଇବା ପ୍ରସ୍ତୁତି ସରିବା ପରେ ଅର୍ଡର ଅନୁସାରେ ଡ. ପଣ୍ଡା ନିଜ ବାଇକ୍ ରେ ଖାଇବା ନେଇ ସଂକ୍ରମିତଙ୍କ ଘରେ ପହଞ୍ଚିଯାଆନ୍ତି ।


ଡ. ପଣ୍ଡା ଏବଂ ତାଙ୍କ ପରିବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡାରେ ରୁହନ୍ତି । ତାଙ୍କ କହିବା କଥା ଯେ, ହୋମ୍ ଆଇସୋଲେସନ୍ ରେ ରହିଥିବା ରୋଗୀ ମାନେ ଖାଦ୍ୟ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନ୍ୟପଟେ ସମସ୍ତଙ୍କ ଘରେ ରାନ୍ଧି ଖାଇବାର ସୁବିଧା ନଥାଏ । ଆଉ ସେମାନେ ବାହାରକୁ ଯାଇ ଖାଇବା ମଧ୍ୟ ଆଣି ପାରିବେ ନାହିଁ । ଆଉ ସବୁଥର ଅନଲାଇନ୍ ରେ ଖାଦ୍ୟ ଅର୍ଡର କରି ଖାଇ ହେବ ନାହିଁ କାରଣ ସେମାନେ ଚାର୍ଜ ଅଧିକ କରନ୍ତି । ଏପରି ଅନେକ ଅସୁବିଧା ରହିଛି ସଂକ୍ରମିତଙ୍କ ପାଇଁ । ତେଣୁ ସେ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଘରେ ହିଁ ରୋଷେଇ କରି ସଂକ୍ରମିତଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି । ଏଥିରେ ତାଙ୍କର ପରିବାରର ସହଯୋଗ ଖୁବ୍ ଭଲ ରହିଛି । ସେ ଯୋଗାଉଥିବା ଖାଦ୍ୟରେ ରହିଛି ଡାଲି, ଭାତ, ଭଜା, ରୁଟି, ତରକାରୀ । ସୋସିଆଲ ମିଡିଆରେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ନମ୍ବର ଦେଇଛନ୍ତି ।

ସେ କୁହନ୍ତି ଯେ, ପ୍ରଥମେ ପ୍ରଥମେ ତାଙ୍କ ପାଖକୁ ଖୁବ୍ କମ୍ ଅର୍ଡର ଆସୁଥିଲା । ହେଲେ ଏବେ ୧୫୦ରୁ ଅଧିକ ଲୋକ ଅର୍ଡର କରୁଛନ୍ତି । ସେ ସୋସିଆଲ ମିଡିଆରେ ଦେଇଥିବା ତଥ୍ୟ ଅନୁସାରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଯାହା ତାଙ୍କ ମନୋବଳକୁ ବଢ଼ାଉଛି । ଖାଲି ସେ ନୁହନ୍ତି ତାଙ୍କ ଘର ପାଖରେ ରହୁଥିବା କିଛି ପରିବାର ମଧ୍ୟ ଏହି କାମରେ ତାଙ୍କ ସହ ଠିଆ ହୋଇଛନ୍ତି । ସେମାନେ ରୁଟି ତିଆରି ଦିଅନ୍ତି ଏବଂ ରୋଷେଇ ରେ ଅନେକ ସହଯୋଗ କରନ୍ତି ।

Get real time updates directly on you device, subscribe now.