fbpx

(Video) ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଘରୁ ମିଳିଲା କୋଟି କୋଟି ଟଙ୍କା, ଗଣିବାରେ ଲାଗିଗଲେ ବିକ୍ଷୋଭକାରୀ

Advertisement

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ସହ ଜୁଝୁଥିବା ଶ୍ରୀଲଙ୍କାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନ ଉପରେ କବ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ନିଆଁ ଲଗାଇଦେଇଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଘରୁ କୋଟି କୋଟି ଟଙ୍କା ନଗଦ ପ୍ରଦର୍ଶନକାରୀଙ୍କ ହାତରେ ଲାଗିଛି । ସୋସିଆଲ ମିଡିଆରେ କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକଙ୍କୁ ନୋଟ୍ ଗଣୁଥିବାର ଦେଖାଯାଇଛି ।

ପ୍ରକୃତରେ ବିପୁଳ ମାତ୍ରାରେ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନରେ ପଶିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହିପରି ଏକ ଭିଡିଓରେ କିଛି ପ୍ରଦର୍ଶନକାରୀ ନୋଟ୍ ଗଣୁଥିବାର ନଜର ଆସିଛନ୍ତି । କୁହାଯାଉଛି ପ୍ରଦର୍ଶନକାରୀ ଏହି ଟଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଘରୁ ମିଳିଛି । ଶ୍ରୀଲଙ୍କା ନ୍ୟୁଜ ପେପର ‘ଡେଲି ମିରର’ ଅନୂଯାୟୀ ରାଷ୍ଟ୍ରପତି ଭବନରୁ ଜବତ ହୋଇଥିବା ଟଙ୍କା ସିକ୍ୟୁରିଟି ୟୁନିଟକୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ହଜାର ହଜାର ପ୍ରଦର୍ଶନକାରୀ ବ୍ୟାରିକେଡ୍ ଭାଙ୍ଗି ଶନିବାର କଲୋମ୍ବୋର ହାଇ ସିକ୍ୟୁରିଟି ଅଞ୍ଚଳରେ ପଶିଥିଲେ । ବିପୁଳ ସଂଖ୍ୟାରେ ବିକ୍ଷୋଭକାରୀ ରାଷ୍ଟ୍ରପତି ଆବାସରେ ଧସେଇ ପଶିଥିଲେ ଏବଂ ସେଠାରେ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ପ୍ରଦର୍ଶନକାରୀ ବେଡରୁମରୁ ନେଇ କିଚେନ୍, ବାଥରୁମ, ସବୁ ଜାଗାକୁ କବ୍ଚା କରିଥିଲେ । ଅନେକ ତ’ ସ୍ୱିମିଙ୍ଗ ପୁଲରେ ଗାଧୋଇବାକୁ ଲାଗିଥିଲେ, କିଛି ବେଡ୍ ରେ, ସୋଫା ଉପରେ ଆରାମ କରୁଥିବାର ନଜର ଆସିଥିଲେ । କିଛି ଲୋକ ଖାଦ୍ୟ ମଧ୍ୟ ଖାଉଥିବାର ଦେଖାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଅଢ଼େଇ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଏହାର ସବୁଠୁ ଖରାପ ସ୍ଥିତିରେ ରହିଛି । ଦେଶରେ ବିଦେଶୀ ମୁଦ୍ରାର ଅଭାବ ରହିଛି । ଫଳରେ ଇନ୍ଧନ ଏବଂ ଅତ୍ୟାବଶ୍ୟକ ବସ୍ତୁର ଆମଦାନୀ ହୋଇପାରୁନାହିଁ । ଲୋକ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

Get real time updates directly on you device, subscribe now.