fbpx

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାରେ ବିକ୍ଷୋଭ ଜାରି; ଆଜି ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଗିରଫ ହେବା ପରେ ରାସ୍ତାରେ ପ୍ରତିବାଦ ଆରମ୍ଭ ହୋଇଛି। ମଙ୍ଗଳବାର (ମାର୍ଚ୍ଚ ୨୬) ଦିନ ଆମ୍ ଆଦମୀ ପାର୍ଟିର କର୍ମୀମାନେ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ, ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ଏବଂ ବିକ୍ଷୋଭକାରୀଙ୍କୁ ଅଟକ ରଖି ୫ଟି ବସ୍ରେ ବିଭିନ୍ନ ଥାନାକୁ ନିଆଯାଇଥିଲା। ପଞ୍ଜାବର ଶିକ୍ଷାମନ୍ତ୍ରୀ ହରଜୋତ ବେନ୍ସ, ବିଧାୟକ ସୋମନାଥ ଭାରତୀ ଏବଂ ଦିଲ୍ଲୀ ଉପବାଚସ୍ପତି ରାକ୍ଷୀ ବିର୍ଲାଙ୍କୁ ପୁଲିସ ଅଟକ ରଖିଛି।

ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବିରେ ବିଜେପି କର୍ମୀମାନେ ମଧ୍ୟ ତୀବ୍ର ପ୍ରତିବାଦ କରିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବଙ୍କ ସମେତ ଅନେକ ଦଳୀୟ ନେତାଙ୍କୁ ଅଟକ ରଖାଯାଇଛି। ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅଟକ ରଖିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ବୁଧବାର (ମାର୍ଚ୍ଚ ୨୭) ହେବ। ଅରବିନ୍ଦ କେଜ୍ରିଓ୍ଵାଲ ତାଙ୍କ ଗିରଫଦାରୀ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ, କିନ୍ତୁ ଶୁଣାଣି ପୂର୍ବରୁ ଆବେଦନ ପ୍ରତ୍ୟାହାର କରିନେଇଥିଲେ।

ଅରବିନ୍ଦ କେଜ୍ରିୱାଲ ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରିବା ସହ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। କିନ୍ତୁ ହୋଲି ଛୁଟି ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। କେଜ୍ରିୱାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ତାଙ୍କ ଗିରଫଦାରୀ ଏବଂ ଅଟକ ବେଆଇନ ଏବଂ ତାଙ୍କୁ ତୁରନ୍ତ ହାଜତରୁ ମୁକ୍ତ କରାଯିବା ଉଚିତ। ଜଷ୍ଟିସ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ଖଣ୍ଡପୀଠରେ ଏହି ଆବେଦନ ରଖାଯାଇଛି।

Get real time updates directly on you device, subscribe now.