ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଯିବେ ପୂଜାରା: ଟେଷ୍ଟ ସିରିଜରେ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଛି । ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲ୍ ପ୍ରଥମ ଟେଷ୍ଟ ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଉଭୟଙ୍କ ବିକଳ୍ପ ଖୋଜୁଛି ଟିମ ଇଣ୍ଡିଆ । ତେବେ ଏହାଭିତରେ ଭାରତର ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ୱର ପୂଜାରା ଅଷ୍ଟ୍ରେଲିଆ ଯାଉଥିବା ଖବର ସାମନାକୁ ଆସିଛି । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଖୁବଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚିବେ ଚେତେଶ୍ୱର ପୂଜାରା । ଏଥର ଅଷ୍ଟ୍ରେଲିଆ ସିରିଜରେ ପୂଜାରାଙ୍କୁ ଏକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଛି । ଏକ ନୂଆ ରୂପ ଏବଂ ନୂଆ ଅନ୍ଦାଜରେ ବର୍ଡର ଗାଭାସ୍କର ଟ୍ରଫିରେ ଏଣ୍ଟ୍ରି କରିବେ ପୂଜାରା ।

୨୦୧୮-୧୯ ଏବଂ ୨୦୨୦-୨୧ ବର୍ଡର ଗାଭାସ୍କର ଟ୍ରଫିରେ ଚେତେଶ୍ୱର ପୂଜାରା ଟିମ ଇଣ୍ଡିଆ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଚେତେଶ୍ୱର ପୂଜାରା । କିନ୍ତୁ ଚଳିତବର୍ଷ ଏହି ସିଜନରେ ତାଙ୍କୁ ଦଳରେ ସୁଯୋଗ ମିଳିନାହିଁ । ପୂଜାରାଙ୍କ ସ୍ଥାନରେ ଶୁଭମନ ଗିଲ, ସରଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲଙ୍କ ଭଳି ଯୁବ ଖେଳାଳିଙ୍କୁ ସାମିଲ କରିଛି ଟିମ ଇଣ୍ଡିଆ । ତେଣୁ ସେ ବର୍ତ୍ତମାନ ଏହି ସିରିଜରେ ନୂଆ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ବର୍ଡର ଗାଭାସ୍କର ଟ୍ରଫିରେ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇଛନ୍ତି ପୂଜାରା । ଗତ ସିଜନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟ ସହ କମାଲ କରୁଥିବା ପୂଜାରା ଚଳିତବର୍ଷ ମାଇକ ଧରି କମାଲ କରିବାକୁ ଯାଉଛନ୍ତି । ରାହୁଲ ଦ୍ରାବିଡଙ୍କ ପରେ ତାଙ୍କୁ ଭାରତର ଟେଷ୍ଟ ସ୍ପେସାଲିଷ୍ଟର ଆଖ୍ୟା ମିଳିଥିଲା । କିନ୍ତୁ ୨୦୨୧-୨୩ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପରେ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ ।

ଟିମ ଇଣ୍ଡିଆ ପକ୍ଷରୁ ପୂଜାରା ମୋଟ ୧୦୩ ଟେଷ୍ଟ ମ୍ୟାଚ କେଳି ୪୩.୬ ହାରରେ ୭୧୯୫ ରନ୍ ସଂଗ୍ରହ କରିଛନ୍ତି । ତେବେ ବର୍ଡର ଗାଭାସ୍କର ଟ୍ରଫିରେ ସେ ଭାରତ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଅମୋଘ ଅସ୍ତ୍ର ପାଲଟିଥିଲେ । ୨୦୧୦ ମସିହାରୁ ୨୦୨୩ ମସିହା ଭିତରେ ୪୩ଟି ଇନିଂସରୁ ୫୦.୮୨ ହାରରେ ୨୦୩୩ ରନ୍ କରିଛନ୍ତି ପୂଜାରା । ସଚିନ୍ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କ ପରେ ପୂଜାରା ଚତୁର୍ଥ ଭାରତୀୟ ଭାବରେ ବର୍ଡର ଗାଭାସ୍କର ଟ୍ରଫିରେ ୨୦୦୦ ରୁ ଅଧିକ ରନ୍ କରିଛନ୍ତି ।