fbpx

ୟୁକ୍ରେନ ବିପକ୍ଷ ଯୁଦ୍ଧରେ ହାରିବା ମହଙ୍ଗା ପଡ଼ିଲା, ୮ ଜଣ ଜେନେରାଲଙ୍କୁ ଦଣ୍ଡିତ କଲେ ପୁଟିନ: ରିପୋର୍ଟ

ନୂଆଦିଲ୍ଲୀ: ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ଯୁଦ୍ଧ ବନ୍ଦ ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ବାର ଆଲୋଚନା ହୋଇଥିଲେ ଏଯାବତ ସେନେଇ ସେନେଇ କୌଣସି ସୁଫଳ ମିଳିପାରି ନାହିଁ । ତେବେ ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ଏକ କ୍ରୁରତା କାହାଣୀ ସାମନାକୁ ଆସିଛି । ୟୁକ୍ରେନ ବିପକ୍ଷ ଯୁଦ୍ଧରେ ଲଢ଼ୁଥିବା ରୁଷ ସେନାର ୮ ଜଣ ଜେନେରାଲଙ୍କ ଉପରେ ପୁଟିନ ବର୍ଷିଛନ୍ତି । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସ୍ପର୍ଶକାତର ରିପୋର୍ଟ ସାମ୍ନାକୁ ଆସିଛି ।

ରିପୋର୍ଟରେ ୟୁକ୍ରେନର ସୁରକ୍ଷା ପରିଷଦର ମୁଖ୍ୟ ଓଲେକସି ଡାନିଲୋଭ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରୁଷର ୧୨ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇ ସାରିଲେଣି । ତେଣୁ ଏହା ମସ୍କୋର ମିଲିଟାରୀ ପାୱାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଦୁର୍ବଳ ରଣନୀତି ଯୋଗୁଁ ରୁଷ ପରାଜୟ ବରଣ କରିଥିବାରୁ ୮ ଜଣ ଜେନେରାଲାଙ୍କୁ କାର୍ଯ୍ୟରୁ ବରଖାସ୍ତ କରିଛନ୍ତି ପୁଟିନ । ସମ୍ପୃକ୍ତ ଜେନେରାଲମାନଙ୍କୁ ଦଣ୍ଡ ସ୍ୱରୂପ ସେମାନଙ୍କ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ଶତ୍ରୁକୁ କେବେ ବି ନ୍ୟୁନ ଭାବିବା ଅନୁଚିତ । ଆମେ ରୁଷକୁ ପ୍ରତ୍ୟେକ କ୍ଷେତ୍ରରେ ପରାସ୍ତ କରିଛୁ । ଯୁଦ୍ଧରେ ରୁଷିଆର ୩୫୩ଟି ଟ୍ୟାଙ୍କ, ୧୧୬୫ଟି ଯୁଦ୍ଧ ଯାନ, ୫୭ଟି ଏୟାରକ୍ରାଫ୍ଟ, ୮୩ଟି ହେଲିକପ୍ଟର, ୧୨୫ଟି ଆର୍ଟିଲେରି ଓ ୫୮ଟି ଏମଏଲଆର, ୬୦ଟି ସାଇଷ୍ଟର୍ଣ୍ଣସ, ୫୫୮ଟି ଗାଡ଼ି, ୩ ଭେଲେସ, ୭ ୟୁଏଭି ଓ ୩୧ଟି ଆଣ୍ଟି-ଏୟାରକ୍ରାଫ୍ଟ ୱାରଫେୟାର ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ଭସ୍ମ ହୋଇଯାଇଛି ।

Get real time updates directly on you device, subscribe now.