fbpx

ଭାରତ ସହ ୪ ଦେଶ ଚୀନ ଉପରେ ଲଗାଇବେ ପ୍ରତିବନ୍ଧକ, ସାଟେଲାଇଟ ଦ୍ୱାରା ରଖାଯିବ ବେଆଇନ ମାଛଧରା ଉପରେ ନଜର

ନୂଆଦିଲ୍ଲୀ: ଇଣ୍ଡୋ ପାସିଫିକ୍ ରିଜନରେ ଚୀନର ବଡ଼ ମାତ୍ରାରେ ବେଆଇନ ଭାବରେ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତ ମିଶି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କ୍ୱାଡ ଦେଶ ପ୍ରଶାନ୍ତ ମହସାଗର ଏବଂ ଭାରତ ମହାସାଗରରେ ଅବୈଧ ଭାବରେ ମାଛଧରା ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହାର ଘୋଷଣା ଆସନ୍ତା ୨୪ରେ ଟୋକିଓରେ ହେବାକୁ ଯାଉଥିବା କ୍ୱାଡ ବୈଠକରେ ହେବ ।

ଏକ ରିପୋର୍ଟ ଅନୂଯାୟୀ ଭାରତ ମହାସାଗର ଠାରୁ ଦକ୍ଷିଣ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଅବୈଧ ମାଛମରା ଉପରେ ରୋକ୍ ଲଗାଇବା ପାଇଁ ସାଟେଲାଇଟର ବ୍ୟବହାର କରାଯିବ । ଏଥିପାଇଁ ସିଙ୍ଗାପୁର ଏବଂ ଭାରତ ସର୍ଭେଲାନ୍ସ ସେଣ୍ଟରକୁ ପରସ୍ପର ଯୋଡ଼ାଯିବ । ଫଳରେ ମାଛ ଧରିବାକୁ ଯାଉଥିବା ବୋଟ୍ ହେଉ କିମ୍ବା ଜାହାଜ ସେମାନଙ୍କର ଟ୍ରାନ୍ସପୋଣ୍ଡର ବନ୍ଦ କଲେ ବି ସେମାନଙ୍କୁ ସାଟେଲଇଟ ଦ୍ୱାରା  ଟ୍ରାକ୍ କରାଯାଇପାରିବ । ଟ୍ରାନ୍ସପୋଣ୍ଡରର ବ୍ୟବହାର ଜାହାଜକୁ ଲୋକେଶନ ସୂଚାଇଥାଏ, କିନ୍ତୁ ଅବୈଧ ଭାବରେ ମାଛ ଧରୁଥିବା ଜାହାଜ ସେମାନଙ୍କର ଟ୍ରାନ୍ସପୋଣ୍ଡର ବନ୍ଦ କରିଦେଇଥାନ୍ତି, ଯାହାଦ୍ୱାରା ସେମାନଙ୍କୁ ଧରିବା ମୁସ୍କିଲ ହୋଇଥାଏ ।

ରିପୋର୍ଟ ଅନୂଯାୟୀ ଚୀନ ବଡ଼ ଆକାରରେ ଏହି କ୍ଷେତ୍ରରେ ମାଛ ମାରିଥାଏ । ଯାହାକୁ ନେଇ ଭାରତ-ପ୍ରଶାନ୍ତ ଦେଶ ଚୀନର ଏହି କାର୍ଯ୍ୟ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଦେଶମାନେ ଅଭିଯୋଗ କରିଛନ୍ତି ଚୀନର ଜାହାଜ ଏଠାରେ ମାଛ ମାରିବା ଯୋଗୁଁ ପରିବେଶ ଖରାପ ହେବା ସହ ଆର୍ଥିକ ଅସୁବିଧା ମଧ୍ୟ ଉପୁଜୁଛି । ଅନେକ ଥର ଚେତାବନୀ ଦେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ସୂଚନାଯୋଗ୍ୟ, କ୍ୱାଡ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତର ଏକ ସମୂହ । ଇଣ୍ଡୋ-ପାସିଫିକ୍ କ୍ଷେତ୍ର ଏବଂ ସାମୁଦ୍ରିକ ବ୍ୟାପାର ଏବଂ ଶକ୍ତି ସନ୍ତୁଳନ ବଜାୟ ରଖିବା ଏବଂ ଚୀନର ଦାଦାଗିରି ରୋକିବା ପାଇଁ ତିଆରି ହୋଇଛି । ଋଷ-ୟୁକ୍ରେନ ଯୁଦ୍ଧକୁ ତିନି ମାସ ପୂରଣ ହେବାକୁ ଥିବା ଆୟୋଜିତ ହେଉଥିବା କ୍ୱାଡ ବୈଠକ ଉପରେ ବିଶ୍ୱର ନଜର ରହିଛି ।

Get real time updates directly on you device, subscribe now.