ଭୁବନେଶ୍ୱର : ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ଏହା ଶୁଣିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
ସେ ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ଏହା ସହିତ ସେ ଜଣେ ଲେଖକ ମଧ୍ୟ ଥିଲେ । ତାଙ୍କର ‘ଆକାଶ ଦୀପ’ର ବିଶିଷ୍ଟ କଥାକାର ତଥା ଲୋକପ୍ରିୟ ସ୍ତମ୍ଭ ‘କଥାଟିଏ କହୁଁ’ର ସେ ଲେଖକ ଅଟନ୍ତି । ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗର ସୂଚନା ପାଇଲା ପରେ ରାଜ୍ୟର ଧର୍ମ-ସଂସ୍କୃତି ପରିସରରେ ଶୋକାକୂଳ ପରିବେଶ ଶୃଷ୍ଟି ହୋଇଛି । ଶ୍ରୀ ମିଶ୍ରଙ୍କ ଘର ଜଟଣୀ ନିକଟସ୍ଥ କୁଦିଆରୀ ଗ୍ରାମରେ ଓ ସେ କୁଦିଆରୀ ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ । ଅବସର ପରେ ସେ ଭୁବନେଶ୍ବରର ଭିଏସ୍ଏସ୍ ନଗରରେ ରହୁଥିଲେ ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରହିଥିବା ଶ୍ରୀ ମିଶ୍ରଙ୍କର ମହାପ୍ରଭୁଙ୍କ ନୀତିକାନ୍ତି ଓ ମନ୍ଦିରରେ ପ୍ରଚଳିତ ପ୍ରଥାପରମ୍ପରା ଉପରେ ଅଗାଧ ଜ୍ଞାନ ଥିଲା। ସେ ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କର ଅନନ୍ୟ ଅନୁଭୂତି ଓ ସେବାର୍ଜିତ ଅଭିଜ୍ଞତା ଆଧାରିତ ବହୁ ରଚନା ପ୍ରସ୍ତୁତ କରିଛନ୍ତି ।