fbpx

ବୁର୍ଲାରେ ପୁଣି ରାଗିଂ: ୬ ଛାତ୍ରଙ୍କୁ ଆକ୍ରମଣ

ସମ୍ବଲପୁର, ୧୨ା୩ (ଓଡିଶା ଭାସ୍କର): ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ ରିସର୍ଚ୍ଚ (ଭିମସାର)ର ୬ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇବର୍ଷ ପୂର୍ବରୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ନେଇ ସେତେବେଳେ ସାରା ରାଜ୍ୟରେ ବହୁତ ଚର୍ଚ୍ଚା ହୋଇଥିଲା । ଏହି ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲର ୧୦ ଜଣିଆ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୩ ଦିନ ପୂର୍ବରୁ ଭିମସାରର ଏମବିବିଏସ୍ ଦ୍ୱିତୀୟ ବର୍ଷ ଛାତ୍ରାବାସକୁ ୪ର୍ଥ ବର୍ଷର କିଛି ଛାତ୍ର ବିଳମ୍ବିତ ରାତ୍ରିରେ ପ୍ରବେଶ କରି ଗାଳିଗୁଲଜ କରିଥିଲେ । ଦ୍ୱିତୀୟ ବର୍ଷର ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରିବାରୁ ୪ର୍ଥ ବର୍ଷର ଛାତ୍ରମାନେ ପୁଣି ବୁଧବାର ଦିନ ରାତି ୧୨ଟାରେ ଛାତ୍ରାବାସକୁ ପଶି ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ଅର୍ଦ୍ଧଉଲଗ୍ନ କରି ମାଡ଼ ମାରିଥିଲେ । ତେବେ ପ୍ରାୟ ୩୦ ଜଣ ଛାତ୍ର ସିକ୍ୟୁରିଟି ଗାର୍ଡଠାରୁ ଲାଠି ଛଡ଼ାଇ ଛାତ୍ରାବାସ ମଧ୍ୟକୁ ଧସେଇ ପଶିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି ।

Get real time updates directly on you device, subscribe now.