fbpx

ଭୁବନେଶ୍ୱର, ବାଲେଶ୍ୱର, ଦେବଗଡ଼ ଚାରିଆଡ଼େ ଖାଲି ରାଗିଂ: ପୁଣି ବିଜେବି କଲେଜର ଜଣେ ଛାତ୍ରଙ୍କୁ ରାଗିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱରର ବିଜେବି କଲେଜରେ ରାଗିଂ । ଗତ ୨ ତାରିଖରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଇତିହାସ ସ୍ନାତକ ଶ୍ରେଣୀର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ରୁଚିକାଙ୍କ ସୁଇସାଇଡ୍ ନୋଟରେ ତିନିଜଣ ସିନିୟର ଛାତ୍ରୀଙ୍କ ନାମ ଉଲ୍ଲେଖ ରହିଥିଲା । ଏହା ମଧ୍ୟରେ ଅନେକ ବିକ୍ଷୋଭ, ଧର୍ମଘଟ, ଆନ୍ଦୋଳନ ଜାରି ଚାଲିଥିଲେ ହେଁ ରୁଚିକାଙ୍କୁ ନ୍ୟାୟ ମିଳିପାରିନି । ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ହୋଇଛି ଅକ୍ଷମ ।

ତେବେ ଆଜି ପୁଣି ବିଜେବିରୁ ପୁଣି ଏକ ରାଗିଂ ଖବର ଆସିଛି । ଆମ୍ବେଦକର ଛାତ୍ରାବାସର ଜଣେ ଛାତ୍ରଙ୍କୁ ରାଗିଂ କରାଯିବା ସହ ତାଙ୍କଠାରୁ ୨ ହଜାର ଟଙ୍କା ହଡ଼ପ କରାଯାଇଛି । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାଣିଜ୍ୟ ଛାତ୍ର ହୋଇଛନ୍ତି ରାଗିଂର ଶିକାର । ଏଥିସହିତ ତାଙ୍କୁ ୩୦ ଜଣ ସିନିୟର ଛାତ୍ର ମିଶି ମାଡ଼ ମାରିଛନ୍ତି । ଏନେଇ ଛାତ୍ର ଜଣଙ୍କ ବରଗଡ଼ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାୟର କରିଥିବା ଜଣାପଡ଼ିଛି ।

ନିକଟରେ ରାଜ୍ୟର କିଛି ସ୍ଥାନରେ ରାଗିଂ ମାମଲା ବଢ଼ିବାରେ ଲାଗିଛି । ଗତ ୮ ତାରିଖରେ ଲିପ୍ସା ନାମକ ଜଣେ ନର୍ସିଂ ଛାତ୍ରୀ ମୃତ୍ୟୁବରଣ କରିଥିଲେ । ଲିପ୍ସା ଜ୍ୟୋତି ହସ୍ପିଟାଲରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିବା ବେଳେ ଗତ ୩ ତାରିଖରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଟ୍ରାନ୍ସଫର କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ପଛର କାରଣ ରାଗିଂ ବୋଲି ଅନୁମାନ କରାଯାଇଥିଲା । ସେହିପରି ଗତ ୫ ତାରିଖରେ ଦେବଗଡ଼ ଏଏନଏମ ସେଣ୍ଟରରେ ଜଣେ ସିନିୟର ରାଗିଂ କରିବା କାରଣରୁ ଜଣେ ଛାତ୍ରୀ ଅଭିଯୋଗ ଦାୟର କରିଥିଲେ ।

Get real time updates directly on you device, subscribe now.