fbpx

ଭୁବନେଶ୍ୱର ପରେ ଦେବଗଡ଼: ANM ସେଣ୍ଟରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ, ଆରମ୍ଭ ହେଲା ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆରମ୍ଭ ହେଲା ରାଗିଂ । ଭୁବନେଶ୍ୱର ପରେ ଦେବଗଡ଼ । ଦୁଇଦିନ ପୂର୍ବରୁ ରାଜଧାନୀର ବିଜେବି କଲେଜର ଜଣେ ଛାତ୍ରୀ ରାଗିଂ କାରଣରୁ ଆତ୍ମହତ୍ୟା କରିଥିଲେ । ତେବେ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ଏବେ ଅଭିଭାବକ ମହଲଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ପଡ଼ୁଛି ଉଠୁଛି । ଏହି ପରିପ୍ରେକ୍ଷୀରେ ପୁଣି ଏକ ରାଗିଂ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ତେବେ ଖବର ମୁତାବକ, ଦେବଗଡ଼ ଏଏନଏମ୍ ସେଣ୍ଟରରେ ରାଗିଂ ହୋଇଛି । ସେଣ୍ଟରର ଜଣେ ସିନିୟର ଛାତ୍ରୀ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି । ସିନିୟର ଛାତ୍ରୀଙ୍କ ଏଭଳି ହରକତରେ ଛାତ୍ରୀ ଜଣକ ମାନସିକ ଯନ୍ତ୍ରଣା ପାଇଛନ୍ତି । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଏବେ ରାତିଅଧିଆ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ରୁଚିକାଙ୍କ ଆତ୍ମହତ୍ୟାର ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ରୁଚିକାଙ୍କର ମୃତ୍ୟୁ କିପରି ହୋଇଥିଲା, ତା’ର ଉତ୍ତର ପୋଲିସ ପାଇଛି । ବେକରେ ରଶି ଲଗାଇ ଝୁଲି ପଡ଼ିବାରୁ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ରୁଚିକା ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ଏଭଳି ପଦକ୍ଷେପ ତାଙ୍କର ପିତାମାତାଙ୍କ ସହ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା ।

ତେବେ ଏହା ମଧ୍ୟରେ ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ଆଗେଇ ଆସି ଧାରଣାରେ ବସିଛନ୍ତି । ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରି ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ରୁଚିକାଙ୍କ ସୁଇସାଇଡ୍ ନୋଟରୁ ଜଣାପଡ଼ିଛି । ତେବେ ଏହାମଧ୍ୟରେ ପୋଲିସ ଅନେକ ଛାତ୍ରୀଙ୍କୁ ଜେରା କରିସାରିଥିବା ବେଳେ ଉକ୍ତ ତିନିଜଣଙ୍କୁ ସନ୍ଧାନ କରୁଛି ।

Get real time updates directly on you device, subscribe now.