‘ଏକଲବ୍ୟଙ୍କ ଭଳି ଯୁବକମାନଙ୍କର କଟାଯାଉଛି ଆଙ୍ଗୁଠି’, ପେପର ଲିକ୍ ମାମଲାକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ପେପରଲିକ୍ କୁ ବିରୋଧ କଲେ ଲାଠିଚାର୍ଜ, ଏନଡିଏ ଛାତ୍ରଙ୍କୁ ଏକଲବ୍ୟ କରୁଛି । କାହିଁକି ଏପରି କଥା କହିଲେ ରାହୁଲ..

ନୂଆଦିଲ୍ଲୀ: ଚଳିତବର୍ଷ ନିଟ୍ ପରୀକ୍ଷାର ପେପର ଲିକ୍ ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବର୍ତ୍ତମାନ ବିହାର ଲୋକ ସେବା ଆୟୋଗ ପକ୍ଷରୁ ୧୩ ଡିସେମ୍ବରରେ ଧାର୍ଯ୍ୟ ହୋଇଥିବା ମିଳିତ ପ୍ରାରମ୍ଭିକ ପରୀକ୍ଷାକୁ ରଦ୍ଧ କରିବାର ଦାବି କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ହୋଇଛି ।

ଏ ନେଇ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏନଡିଏ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେମାନେ ନିଜର ଅସଫଳତାକୁ ଲୁଚାଇବା ଲାଗି ଯୁବକଙ୍କ ଉପରେ ଲାଠିଚାର୍ଜ କରୁଛନ୍ତି ।

ବର୍ଷିଲେ ରାହୁଲ:
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ କହିଛନ୍ତି, “ମୁଁ ସଂସଦରେ କହିଥିଲି ଯେ; ଯେଉଁଭଳି ଏକଲବ୍ୟଙ୍କ ଆଙ୍ଗୁଠି କଟାଯାଇଥିଲା, ସେହିଭଳି ପେପର୍ ଲିକ୍ କରାଯାଇ ଯୁବକଙ୍କ ଆଙ୍ଗୁଠି କଟାଯାଉଛି । ଏହାର ତାଜା ଉଦାହରଣ ବିବାହର ଅଟେ । ବିପିଏସସି ପରୀକ୍ଷାର୍ଥୀ ପେପର ଲିକ୍ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ପରୀକ୍ଷାକୁ ବାତିଲ କରିବାର ଦାବି କରୁଛନ୍ତି ।

ହେଲେ ଏନଡିଏର ସରକାର ନିଜ ଅସଫଳତାକୁ ଲୁଚାଇବା ଲାଗି ଛାତ୍ରମାନଙ୍କ ଉପରେ ଲାଠି ଚାଳନା କରୁଛନ୍ତି । ଏହା ଲଜ୍ଜାଜନକ ଏବଂ ନୀନ୍ଦନୀୟ । ଛାତ୍ରମାନଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଆମେ ସେହି ପରୀକ୍ଷାର୍ଥୀଙ୍କ ସହ ଅଛୁ ଏବଂ ସେମାନଙ୍କୁ ନ୍ୟାୟ ଦେବାପାଇଁ ଲଢିବୁ ।”

ବିରୋଧୀ ଏକମୁଖ:
ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏବଂ ସ୍ୱାଧୀନ ଦଳର ସାଂସଦ ପପ୍ପୁ ଯାଦବଙ୍କ ସମେତ ବିରୋଧୀ ନେତାମାନେ ମଧ୍ୟ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଆରଜେଡିର ମୁଖ୍ୟ ନେତା ଲାଲୁ ପ୍ରସାଦ କହିଛନ୍ତି ଯେ, ପୋଲିସଙ୍କୁ ପ୍ରଦର୍ଶନକାରୀ ଛାତ୍ରମାନଙ୍କ ଉପରେ ଲାଠି ଚାଳନା ନ କରିବା ଆବଶ୍ୟକ ଥିଲା । ଯାହା କରାଗଲା ତାହା ସଂପୂର୍ଣ୍ଣ ଭାବେ ଭୁଲ । ଲାଲୁ କହିଛନ୍ତି ଯେ, ଏପରି ନ କରିବା ଆବଶ୍ୟକ ଥିଲା ।