ରେଭ ପାର୍ଟି ଉପରେ ପୋଲିସ ରେଡ, ୩୫ ଗିରଫ, ଘଟଣା ସହ ପୂର୍ବ ସରକାରର ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ସମ୍ପର୍କ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ରେଭ ପାର୍ଟି ସରକାରର ମୁଣ୍ଡ ବ୍ୟଥାର କାରଣ ହେବାକୁ ଯାଉଛି । ପାର୍ଟିରୁ ପୋଲିସ ୩୫ ଜଣଙ୍କୁ ହାଜତକୁ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଶାସକ ଦଳର ମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟ ଥିବା ଜଣାପଡିଛି । ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋରଦାର । କୁହାଯାଉଛି ମନ୍ତ୍ରୀ କେଟି ରାମାରାଓଙ୍କ ନିକଟ ସମ୍ପର୍କୀୟ ଏହି ପାର୍ଟିରୁ ଗିରଫ ହୋଇଛନ୍ତି ।

ଖବର ମୁତାବକ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ କେଟି ରାମାରାଓ (କେଟିଆର)ଙ୍କ ସମ୍ପର୍କୀୟ ରାଜ ପାକଲାଙ୍କ ଜଣବାଡା ଫାର୍ମ ହାଉସରେ ରେଭ ପାର୍ଟି ଚାଲିଥିବା ବେଳେ ନରସିଙ୍ଗି ପୋଲିସ ଓ ଅବକାରୀ ବିଭାଗର ଚଢାଉ ହୋଇଥିଲା । ଚଢାଉରେ ଅବୈଧ ମଦ ଓ ନିଶା ସାମଗ୍ରୀ ଜବତ ହୋଇଛି । ଏଥିସହ ପୋଲସି ୩୫ ଜଣଙ୍କୁ ହାଜତକୁ ନେଇଛି । ପୋଲିସ କବଜାରେ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୨୧ ଜଣ ପୁରୁଷ ଓ ୧୪ ମହିଳା ରହିଛନ୍ତି ।

ରେଡରେ ପୋଲିସ ୧୦.୫ ଲିଟର ବିଦେଶୀ ମଦ ଓ ଦେଶୀ ମଦ ସହ ଅନ୍ୟ ନିଶା ସାମଗ୍ରୀ ଜବତ କରିଛି । ଏହା ରାଜ୍ୟର ଅବକାରୀ ଆଇନର ଉଲ୍ଲଙ୍ଘନ ବୋଲି କୁହାଯାଉଛି । ପୋଲିସ ହାଜତକୁ ନେଇଥିବା ଲୋକଙ୍କ ଡ୍ରଗ୍ସ ଟେଷ୍ଟରୁ ବିଜୟ ମଡ୍ଡୁରୀ ନାମକ ଜଣଙ୍କ ଶରୀରରେ କୋକିନ ଉପାଦାନ ମିଳିଛି । ଅଧିକ ଟେଷ୍ଟିଂ ପାଇଁ ତାଙ୍କୁ ହସ୍ପିଟାଲ ପଠାଯାଇଥି । ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟରେ ଧାରା ୨୭ ଲଗାଯାଇଛି ।

ଏଥିସହ ଫାର୍ମହାଉସର ମାଲିକ ରାଜ ପାକଲାଙ୍କ ଉପରେ ମଧ୍ୟ ବିନା ଲାଇସେନ୍ସରେ ମଦ ଯୋଗାଇବାର ଅଭିଯୋଗ ହୋଇଛି । ଧାରା ୩୪(ଏ), ୩୪ (୧)ଓ ଧାରା ୯ ଅନ୍ତର୍ଗତ ମାମଲା ଦାୟର ହୋଇଛି । ଏହି ଘଟଣା ଏବେ ପୂର୍ବ ବିଆରଏସ ସରକାରକୁ ଅଡୁଆରେ ପକାଇବାକୁ ଯାଉଛି ।